ଓଡ଼ିଶୀରେ ଶିବ ତାଣ୍ଡବ ପରିବେଷଣ: ତିନିଜଣଙ୍କୁ ଜ୍ୟୋତି କଳାମନ୍ଦିର ଓଡ଼ିଶୀ ସମ୍ମାନ

ପୁରୁଣା ଭୁବନେଶ୍ୱର,୩୧ା୮ (ଡି.ଏନ.ଏ.): ଜ୍ୟୋତି କଳାମନ୍ଦିର ଏବଂ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚର ମିଳିତ ଆୟୋଜନରେ ଜ୍ୟୋତି କଳାମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁରୁ ଜ୍ୟୋତି ରାଉତଙ୍କ ନୃତ୍ୟ ନିର୍ଦ୍ଦେଶନାରେ କଳାକାରମାନେ ତାଳ ଓ ଲୟଦ୍ୱାରା ପ୍ରସ୍ତୁତ କରିଥିଲେ ଶିବ ତାଣ୍ଡବ। ପରେ ଅନ୍ୟ ଛାତ୍ରୀଛାତ୍ରଙ୍କ ଦ୍ୱାରା ପଲ୍ଲବୀ, ସ୍ଥାୟୀ ନାଟ ଆଦି ମାଧ୍ୟମରେ ମଣିଷର ୯ ନବରସକୁ ନିଖୁଣ ଭାବେ ପରିବେଷଣ କରିଥିଲେ। ଏହି ଅବସରରେ ଗୁରୁ ଦୁର୍ଗା ଚରଣ ରଣବୀର, ଗୁରୁ କେଶବ ଚନ୍ଦ୍ର ରାଉତ, ଗୁରୁ କାଳନ୍ଦୀ ଚରଣ ପରିଡାଙ୍କୁ ଜ୍ୟୋତି କଳାମନ୍ଦିର ଓଡ଼ିଶୀ ସମ୍ମାନ ୨୦୧୯ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଖଦି ଓ ଗ୍ରାମଉଦ୍ୟୋଗ ବୋର୍ଡ଼ର ସଭାପତି ସଂଗ୍ରାମ କେଶରୀ ପାଇକରାୟ, ପଣ୍ଡିତ ଦାମୋଦର ହୋତା ଯୋଗଦେଇଥିଲେ। ଶେଷରେ ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ। ଇଂ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Share