ଓଡ଼ିଶୀ ନୃତ୍ୟରେ ଗୁରୁ କେଳୁଚରଣଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୁଣା ଭୁବନେଶ୍ୱର,୧୧ା୨(ଡି.ଏନ୍‌.ଏ.): ଐତିହାସିକ ଧଉଳି ପାହାଡ ପାଦଦେଶରେ ସୋମବାର ଉଦ୍‌ଘାଟିତ ହୋଇଯାଇଛି ୧୬ଶ ଧଉଳି କଳିଙ୍ଗ ମହୋତ୍ସବ। ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ପରିବେଷିତ ହୋଇଥିଲା ଓଡ଼ିଶୀ ନୃତ୍ୟ ପଲ୍ଲବି, ଯାହା ରାଗ ଶଙ୍କରାଭରଣ ଓ ହଂସଧ୍ୱନି ଏବଂ ତାଳ ଏକତାଳି ଉପରେ ନିବଦ୍ଧ ଥିଲା। ଏହା ଥିଲା ଉଦ୍‌ଘାଟନୀ ସନ୍ଧ୍ୟାର ପ୍ରଥମ ପରିବେଷଣ। ଏହାକୁ ମଞ୍ଚସ୍ଥ କରିଥିଲେ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ ଓ ସୃଜନ ଅନୁଷ୍ଠାନର ଶିଳ୍ପୀମାନେ। ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି ଏବଂ ଗୁରୁ ରତିକାନ୍ତ ମହାପାତ୍ର। ଗୁରୁ କେଳୁଚରଣ ମହାପାତ୍ର ଏହାକୁ ରଚନା କରିଥିବାବେଳେ ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର।
ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନ ଦ୍ୱାରା ଆୟୋଜିତ ମହୋତ୍ସବର ଦ୍ୱିତୀୟ ଆକର୍ଷଣ ଥିଲା ମହାରାଷ୍ଟ୍ରର ସନ୍ଥ ନାରୀକବି କାହ୍ନୋପାତ୍ରାଙ୍କ ଜୀବନୀ ଉପରେ ଆଧାରିତ ନୃତ୍ୟନାଟିକା। ଏହି କଥକ ନୃତ୍ୟକୁ କଥା କଥନ ଶୈଳୀରେ ଅତି ସୁନ୍ଦର ଭାବରେ ପରିବେଷଣ କରିଥିଲେ ରାଜଶ୍ରୀ ସିର୍କେ ଓ ସାଥୀ। ଶେଷରେ ଦର୍ଶକମାନେ ଉପଭୋଗ କରିଥିଲେ ଆକର୍ଷଣୀୟ ସମକାଳ ନୃତ୍ୟ, ଯେଉଁଥିରେ ଫୁଟିଥିଲା ମହାତ୍ମା ଗାନ୍ଧୀଙ୍କ ନୀତିଆଦର୍ଶର କଥା। ପରସ୍ପର ପ୍ରତି ସମ୍ମାନ, ଦୋଷ ଓ ଦୁର୍ବଳତାକୁ ସ୍ବୀକାର କରିବା, ବ୍ୟକ୍ତିତ୍ୱକୁ ବୁଝିବା ଏବଂ ଅନ୍ତର୍ନିହିତ ଗୁଣକୁ ପସନ୍ଦ କରିବା ଇତ୍ୟାଦିକୁ ବର୍ତ୍ତମାନର ପ୍ରସଙ୍ଗ ସହିତ ଅତି ଚମତ୍କାର ଢଙ୍ଗରେ ବ୍ୟାଖ୍ୟା କରାଯାଇଥିଲା। ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସମକାଳ ନୃତ୍ୟ ବିଶାରଦ ଓସ୍ତାଦ ଡେବୁ ଓ ସାଥୀ। ଓସ୍ତାଦ ଡେବୁ ନିଜେ ନୃତ୍ୟ ସଂରଚନା କରିଥିଲେ।
ଉଦ୍‌ଘାଟନୀ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ନୃତ୍ୟାଙ୍ଗନା ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ.ପ୍ରିୟମ୍ବଦା ମହାନ୍ତି ହେଜମାଦି; ବିଶିଷ୍ଟ ଭାଷାବିଦ ଦେବୀପ୍ରସନ୍ନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଆର. ବାଲାକ୍ରିଷ୍ଣନ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ସଚିବ ଗୁରୁ ଅରୁଣା ମହାନ୍ତି ଏବଂ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଆର୍ଟ ଭିଜନର ସଚିବ ଗୁରୁ ଇଲିଆନା ଚିତାରିସ୍ତି। ଡ. ମୃତ୍ୟୁଞ୍ଜୟ ରଥ ଏବଂ ଇତିଶ୍ରୀ ଦେବୀ କାର୍ଯ୍ୟକ୍ରମକୁ ସଞ୍ଚାଳନା କରିଥିଲେ।

Share