ଓଡ଼ିଶୀ, ବାଲିନିଜ୍‌ ନୃତ୍ୟର ସମ୍ମେଳନ

ଭୁବନେଶ୍ୱର, ୪ା୧୨ (ବ୍ୟୁରୋ):ଓଡ଼ିଶା ସହ ଇଣ୍ଡୋନେସିଆର ସମ୍ପର୍କ କାହିଁ କେଉଁକାଳରୁ ରହିଆସିଛି। ଇଣ୍ଡୋନେସିଆ ବାଲିର କଳାକାରମାନେ ସାଂସ୍କୃତିକ ସମ୍ପର୍କର ଭିନ୍ନ ଝଲକ ଆଣିଦେଇଛନ୍ତି। ସୋମବାର କୋଣାର୍କ ନୃତ୍ୟୋତ୍ସବରେ ସୀତାହରଣ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିବା ଏହି କଳାକାରମାନେ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ବାଲିନିଜ୍‌ ନୃତ୍ୟ ପରିବେଷଣ କରିଥିଲେ। ଏଥିସହ ମଞ୍ଚରେ ଓଡ଼ିଶୀର ସମ୍ମେଳନ ଦର୍ଶକଙ୍କୁ ନିଆରା ଅନୁଭବ ଦେଇଥିଲା।
ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଓ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳକୁମାର ପତି ଉଦ୍‌ଘାଟନ କରିଥିଲେ। ଗଣେଶ ବନ୍ଦନାରେ ନୃତ୍ୟଶିଳ୍ପୀ କବିତା ମିଶ୍ରଙ୍କ ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। କବିତା ହଂସଧ୍ୱନୀ ପଲ୍ଲବୀରେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବେଶ୍‌ ଆକର୍ଷିତ କରିଥିଲେ। ପରେ ବାଲି କଳାକାରଙ୍କ ନୃତ୍ୟରେ ଝୁମିଉଠିଥିଲା ପୂରା ପରିବେଶ। ସେଲ୍‌ଟ ସାଗରା, ଟୋପେନ୍‌ ତୁଆ ଓ ପେଲୋଗୋନେଗାନ ମେଷ୍ଟିଆ ନୃତ୍ୟରେ ଦର୍ଶକ ବାନ୍ଧି ହୋଇଯାଇଥିଲେ। ସେଲ୍‌ଟ ସାଗରା ନୃତ୍ୟରେ ପ୍ରଥମେ ଦର୍ଶକଙ୍କୁ ସ୍ବାଗତ କରିଥିଲେ। ପରେ ଟୋପେନ ନୃତ୍ୟରେ ପ୍ରେମର ବାସ୍ନା ଭରିଦେଇଥିଲେ ବାଲିର କଳାକାର। ମୁହଁରେ ମୁଖା ପିନ୍ଧି ପ୍ରେମର ବସନ୍ତରେ ନିଜେ ଝୁମିବା ସହ ପ୍ରୋକ୍ଷାଳୟକୁ ଭିଜାଇଦେଇଥିଲେ। ଠିକ୍‌ ଏହି ସମୟରେ ନୃତ୍ୟଶିଳ୍ପୀମାନେ ମଞ୍ଚ ତଳକୁ ଆସି ବାଲିର ପ୍ରସିଦ୍ଧ ବିଞ୍ଚଣାକୁ ୧୩ଜଣ ଦର୍ଶକଙ୍କୁ ଉପହାର ସଦୃଶ ଦେଇଥିଲେ। ଶେଷରେ ଇଣ୍ଡୋନେସିଆର ଶାସ୍ତ୍ରୀୟ ନୃତ୍ୟ ପେଲୋଗୋନେଗାନ ମେଷ୍ଟିଆ ପରିବେଷିତ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ। ଶ୍ରୀନିବାସ ଘଟୁଆରୀ ମଞ୍ଚ ପରିଚାଳନା କରିଥିଲେ।

Share