Categories: ମେଟ୍ରୋ

ଓଡ଼ିଶୀ-ଭାରତନାଟ୍ୟମ୍‌ରେ ଦର୍ଶକ ବିଭୋର

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ସୃଜନ ନୃତ୍ୟାନୁଷ୍ଠାନ ପକ୍ଷରୁ ନିୟମିତ ହୋଇ ଆସୁଥିବା ଯୁବ ନୃତ୍ୟଶିଳ୍ପୀ ଉତ୍ସବ ‘ନବପଲ୍ଲବ’ କାର୍ଯ୍ୟକ୍ରମ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଥିବା ଉତ୍କଳ ରଙ୍ଗମଞ୍ଚ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ଓ ଭାରତନାଟ୍ୟମ୍‌ ନୃତ୍ୟ ପରିବେଷିତ ହୋଇଥିଲା। ବେଙ୍ଗାଲୁରର ଦିବ୍ୟା ରବିଙ୍କ ଭାରତନାଟ୍ୟମ୍‌ ଓ କଟକର ସସ୍ମିତା ପଣ୍ଡାଙ୍କ ଓଡ଼ିଶୀ ନୃତ୍ୟ ଦେଖିବାକୁ ମିଳିଥିଲା।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦିବ୍ୟା ରବି ଭାରତ ନାଟ୍ୟମ୍‌ ପରିବେଷଣ କରିଥିଲେ। ଶିଳ୍ପୀ ରବି ଗୀତଗୋବିନ୍ଦର ଅଷ୍ଟପଦୀ ଓ ଅଭିନୟକ ରଚିଥିଲେ। ସେହିପରି ସସ୍ମିତା ପଣ୍ଡା ଓଡ଼ିଶୀ ନୃତ୍ୟରେ ବିଭିନ୍ନ ବିଭବ ପରିବେଷଣ କରିଥିଲେ। ଅଭିନୟରେ ‘ଲାଜରେ ସରିଗଲି ଆଜ’ରେ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ମୋକ୍ଷ ପରିବେଷଣ କରି ମଞ୍ଚରୁ ବିଦାୟ ନେଇଥିଲେ। ଦୁହିଁଙ୍କ ନୃତ୍ୟରେ ବିଭୋର ହୋଇ ଉଠିଥିଲେ ମଞ୍ଚ ସମ୍ମୁଖରେ ଉପସ୍ଥିତ ଦର୍ଶକ। ମଞ୍ଚରେ ଆଲୋକ ପରିଚାଳନା ଦେବୀପ୍ରସାଦ ମିଶ୍ର କରିଥିବା ବେଳେ ଶିବାଙ୍ଗୀ ମହାପାତ୍ର ସଂଯୋଜନା କରିଥିଲେ। ସନ୍ଧ୍ୟାରେ ସଂସ୍କୃତି ପୃଷ୍ଠପୋଷକ ଡ. ଏସ୍‌. କେ. ତାମୋଟିଆ, ଆଇସିସିଆର୍‌ ଆଞ୍ଚଳିକ ନିର୍ଦ୍ଦେଶିକା ମୀନାକ୍ଷୀ ମିଶ୍ର, ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର, ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଯୁଗ୍ମ ସମ୍ପାଦିକା ମଧୁସ୍ମିତା ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ।

Share