ଓଡିଶା ନିର୍ମାଣ ସଂଘର ବିକ୍ଷୋଭ

ଫୁଲବାଣୀ ଅଫିସ, ୨୦ା୧-ବିଭିନ୍ନ ଦାବି ନେଇ ଓଡିଶା ନିର୍ମାଣ ସଂଘ କନ୍ଧମାଳ ଶାଖା ପକ୍ଷରୁ ଫୁଲବାଣୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାଦିକୁନ୍ଦା ଛକଠାରେ ଶ୍ରମିକମାନେ ଏକାଠି ହୋଇ ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ପାଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି ।
ନିର୍ମାଣ ଶ୍ରମିକମାନେ ସବୁବେଳେ ଅବହେଳିତ ହୋଇ ରହୁଛନ୍ତି। ପ୍ରକୃତ ନିର୍ମାଣ ଶ୍ର୍ରମିକ ସରକାରୀ ସୁବିଧା ପାଇଁ ପରିଚୟପତ୍ର ପାଇ ପାରୁନାହାନ୍ତି। ନିର୍ମାଣ ଶ୍ରମିକ ନ ଥିବା ତଥା ସ୍ବଚ୍ଛଳ ବର୍ଗର ଲୋକେ ଟଙ୍କା ଦେଇ ବେଆଇନ ଭାବେ ଏହା ହାତେଇଛନ୍ତି। ଏହାର ତଦନ୍ତ କରି ତୁରନ୍ତ ସେମାନଙ୍କ ପରିଚୟପତ୍ର ରଦ୍ଦ କରିବାକୁ ଶ୍ରମିକନେତା ତଥା ସଂଘ ଜିଲା ଆବାହକ ଜନବାଦୀ ଗୌଡ, ନକୁଳ ପ୍ରଧାନ, ସୁକାନ୍ତ ଦିଗାଲ, ଦାମୋଦର କହଁର, ଶତ୍ରୁଘନ ମଲ୍ଲିକ, ପ୍ରକାଶ ଚନ୍ଦ୍ର ନାୟକ, ସୁଧାଂଶୁ ପ୍ରଧାନ ପ୍ରକାଶ କରିଛନ୍ତି।
ଏଥିସହ ଜିଲାରେ ଖାଲି ପଡିଥିବା ଶ୍ରମ ଅଧିକାରୀ ପଦବୀ ତୁରନ୍ତ ପୁରଣ କରିବା, ବର୍ଷ ବର୍ଷ ଧରି ପଡି ରହିଥିବା ନାମ ପଞ୍ଜୀକରଣ ପରିଚୟପତ୍ର ଫର୍ମ ତୁରନ୍ତ କାର୍ଯ୍ୟକାରୀ କରି ପରିଚୟପତ୍ର ପ୍ରଦାନ କରିବା, କନ୍ଧମାଳ ଜିଲାକୁ ପ୍ରବାସୀ ଶ୍ରମିକ କଲ୍ୟାଣ ଯୋଜନାରେ ସାମିଲ କରାଯାଇ ବର୍ଷକୁ ୨୦୦ ଦିନ କାର୍ଯ୍ୟ ଯୋଗାଇଦେବା, ଫୁଲବାଣୀ, ଜି.ଉଦୟଗିରି ଏବଂ ବାଲିଗୁଡାରେ ନିର୍ମାଣ ଶ୍ରମିକ ଭବନ ନିର୍ମାଣ କରିବା ଆଦି ଦାବି ସମ୍ପର୍କରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

Share