ଓପିଜିସି ଆଶ୍‌ପଣ୍ଡକୁ ନେଇ ଏନ୍‌ଜିଟିରେ ମାମଲା

କଟକ ଅଫିସ, ୬।୧୨:ଝାରସୁଗୁଡ଼ା ଜିଲା ତିଲିଆ ମୌଜାରେ ଥିବା ଓପିଜିସି (ଓଡ଼ିଶା ପାୱାର ଜେନେରେଶନ କର୍ପୋରେଶନ)ର ପାଉଁଶ ଗଦା (ଆଶ୍‌ପଣ୍ଡ)କୁ ନେଇ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି)ରେ ମାମଲା ରୁଜୁ ହୋଇଛି। ଏହି ମାମଲାର ଶୁଣାଣି କରି ଏନ୍‌ଜିଟିର ମୁଖ୍ୟ ଖଣ୍ଡପୀଠ ଏ ସମ୍ପର୍କରେ କ୍ଷେତ୍ର ତଦନ୍ତ କରିବାକୁ ଝାରସୁଗୁଡ଼ା ଜିଲାପାଳ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି। କ୍ଷେତ୍ର ତଦନ୍ତ ରିପୋର୍ଟରେ ଯଦି କୌଣସି ଅନିୟମିତତା ପରିଲକ୍ଷିତ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏନ୍‌ଜିଟି ଆଦେଶରେ ସ୍ପଷ୍ଟ କରିଛନ୍ତି। ମା’ ଅମ୍ବିକା ମହିଳା ସ୍ବୟଂ ସହାୟକ ସଙ୍ଗଠନ ପକ୍ଷରୁ ଉକ୍ତ ଆଶ୍‌ପଣ୍ଡକୁ ନେଇ ଏନ୍‌ଜିଟିରେ ମାମଲା ରୁଜୁ ହୋଇଥିଲା। ମାମଲାରେ ଓପିଜିସି କର୍ତ୍ତୃପକ୍ଷ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ସଚିବ, ଝାରସୁଗୁଡ଼ା ଜିଲାପାଳ ଓ ମୁଖ୍ୟ ବନ ସଂରକ୍ଷକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ମୁଖ୍ୟତଃ ତିନୋଟି ପ୍ରସଙ୍ଗ ଉପରେ ପିଟିଶନରେ ଗୁରୁତ୍ୱ ଦିଆଯାଇଛି। ପ୍ରଥମତଃ ପିଟିଶନରେ ଦର୍ଶାଯାଇଛି, ହୀରାକୁଦ ଜଳଭଣ୍ଡାରର ଉଚ୍ଚ ବନ୍ୟାସ୍ତର (ହାଇ ଫ୍ଲଡ୍‌ ଲେଭେଲ) ୫୦୦ ମିଟର ଦୂରତା ମଧ୍ୟରେ ଆଶ୍‌ପଣ୍ଡ ପ୍ରତିଷ୍ଠା କରାଯିବା କଥା ନୁହେଁ। ମାତ୍ର ଉକ୍ତ ଆଶ୍‌ପଣ୍ଡ ଜଳଭଣ୍ଡାରଠାରୁ ୧୦୦ ମିଟର ଦୂରରେ ରହିଛି। ସେହିପରି ଜନବସତିଠାରୁ ଆଶ୍‌ପଣ୍ଡର ଦୂରତା ମାତ୍ର ୨୦ ମିଟର ଥିବା ପିଟିଶନରେ ଦର୍ଶାଯାଇଛି। ଏପରି କି ଆର୍‌ଆଇଙ୍କ ରିପୋର୍ଟରେ ମଧ୍ୟ ୪୮ ମିଟର ଥିବା କୁହାଯାଇଛି। ଆଶ୍‌ପଣ୍ଡରୁ ସୃଷ୍ଟି ହେଉଥିବା ବିକରଣର ପ୍ରଭାବ ଆକଳନ କରାଯାଇ ନ ଥିବାବେଳେ ଆଶ୍‌ପଣ୍ଡ ନିମନ୍ତେ ଆବଶ୍ୟକ ଜନଶୁଣାଣି ମଧ୍ୟ କରାଯାଇନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ବିରୋଧ କରିବା ସତ୍ତ୍ବେ ଆଶ୍‌ପଣ୍ଡ ନିର୍ମାଣ କାର୍ଯ୍ୟ ଜାରି ରହିଛି। ସୂଚନାଥାଉ କି, ଏଠାରେ ଏକ ପରିବର୍ଦ୍ଧିତ ଆଶ୍‌ପଣ୍ଡ ନିର୍ମାଣ କରାଯାଉଛି, ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।