ଓପିଟିସିଏଲ୍‌: ପୂରଣ ହେବ ବିଭିନ୍ନ ନିର୍ଦ୍ଦେଶକ ପଦ,ଦୁର୍ନୀତିକୁ ପ୍ରଶ୍ରୟ ନ ଦେବାକୁ ଦାବି

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ)- ରାଜ୍ୟ ସରକାର ନିକଟରେ ଓପିଟିସିଏଲ୍‌ର ସମସ୍ତ ନିର୍ଦ୍ଦେଶକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବରୁ ରହିଥିବା କୌଣସି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇନାହିଁ। ଏହିପରି ନିଷ୍ପତ୍ତି ସଂସ୍ଥା ଓ ବିଭାଗରେ ସ୍ବଚ୍ଛତା ଆଣିବ ବୋଲି କୁହାଯାଇଛି। ସେହିପରି ଅନ୍ୟ କେତେକ ମୌଳିକ ସମସ୍ୟା ନେଇ ଅଲ୍‌ ଇଣ୍ଡିଆ ଅନ୍‌ଅର୍ଗାନାଇଜ୍ଡ ୱାର୍କର୍ସ କଂଗ୍ରେସ(ଓଡ଼ିଶା) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି।

ସେହିପରି ଗ୍ରୀଡ୍‌କୋ ସିଏମ୍‌ଡି ସରକାରଙ୍କୁ ୩ଟି ନିର୍ଦ୍ଦେଶକ ପଦବୀ ପୂରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବାକୁ ଚିଠି ଲେଖିଥିଲେ, ଏଯାବତ୍‌ ୨ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ବାହାରିଛି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନିର୍ଦ୍ଦେଶକ(ବାଣିଜ୍ୟ) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ତେଣୁ ଏହି ପଦବୀ ବୃଦ୍ଧିର ସୁଯୋଗ ରହିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଚଳିତ ନଭେମ୍ବର ୧୫ରେ ଏହି ପଦବୀର କାର୍ଯ୍ୟକାଳ ସରୁଥିବାବେଳେ ଏହାର ବିଜ୍ଞପ୍ତି ନ ବାହାରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋଟିଏ ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀ ଉପରେ ୪୨୩୪ କୋଟି ଟଙ୍କା ବକେୟା ରହିଛି। ଓଏଚ୍‌ପିସିରେ ଦୁର୍ନୀତିଗ୍ରସ୍ତ କେତେକ ଅଧିକାରୀ ସଂସ୍ଥାକୁ ବଦନାମ କରୁଥିବା ନେଇ ଚିଠିରେ ଉଲ୍ଲେଖ କରାଯାଇଛି। ସେହିପରି ନିଖିଳ ଓଡ଼ିଶା ବିଦ୍ୟୁତ୍‌ ମହାସଂଘ ସାଧାରଣ ସମ୍ପାଦକ ଅକ୍ଷୟ ତ୍ରିପାଠୀ ମଧ୍ୟ ଶକ୍ତି ବିଭାଗର ବିଭିନ୍ନ ଅନିୟମିତତା ନେଇ ରାଜ୍ୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଜାଣିଶୁଣି ବିଭାଗ ତଥା ବିଭାଗୀୟ ସଂସ୍ଥା ପକ୍ଷରୁ ନିମ୍ନମାନର ଉପକରଣ କିଣାଯାଇ ବ୍ୟବହାର କରାଯାଉଥିବା ଅଭିଯୋଗ କରାଯାଇଛି। ଗ୍ରୀଡ୍‌କୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଭାବେ ସୋମବାର ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇଛନ୍ତି। ଆଶିଷ ଡିସକମ୍‌ମାନଙ୍କର ନୋଡାଲ ଅଫିସରଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ। ମହାସଂଘର ସାଧାରଣ ସମ୍ପାଦକ ଓ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟମାନେ ନିର୍ଦ୍ଦେଶକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ସଂସ୍ଥାର ବିଭିନ୍ନ ସମସ୍ୟା ଓ ସମାଧାନ ନେଇ ଆଲୋଚନା କରିଛନ୍ତି।

Share