ବମ୍ବେ: ୨୦୧୯ ସରିବାକୁ ଆଉ କିଛି ଘଣ୍ଟା ବାକି। ନୂତନ ବର୍ଷକୁ ସ୍ବାଗତ କରିବାକୁ ସମସ୍ତେ ଆତୁର। ଅପରପକ୍ଷେ ବିଗତ ବର୍ଷର କିଛି ସ୍ମୃତିକୁ ମନେପକାଉଛନ୍ତି ଅନେକେ। ଏଥିରୁ ବାଦ୍ ପଡ଼ିନାହାନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା। ବର୍ଷତମାମ ପସନ୍ଦ ଆସିଥିବା ଗୀତମାନଙ୍କର ଏକ ତାଲିକା ଓବାମା ସମସ୍ତଙ୍କ ସହ ବାଣ୍ଟିଛନ୍ତି। ଏଥିରେ ଜଣେ ଭାରତୀୟ ଗାୟକଙ୍କ ଗୀତ ସାମିଲ ଥିବା ଦେଖାଯାଇଛି। ଗୀତଟି ହେଉଛି ‘କୋଲ୍ଡ ମେସ୍’। ଏହା ଦେଖିବା ପରେ ଗାୟକ ପ୍ରତୀକ କୁହାଡ଼ ଓବାମାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ରାଜସ୍ଥାନର ଜୟପୁରରେ ଜନ୍ମିତ ପ୍ରତୀକ ୧୬ ବର୍ଷ ବୟସରେ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ। ଏହାପରେ ସେ ଗୀତ ଲେଖିବା ଆରମ୍ଭ କରିଥିଲେ। ଏବେ ସେ ଜଣେ ଗାୟକ ଓ ଗୀତିକାର ଭାବେ ଜଣାଶୁଣା। ଇତିମଧ୍ୟରେ ତାଙ୍କର ଚାରୋଟି ଆଲବମ୍ ରିଲିଜ ହୋଇଛି। ଗୀତଗୁଡ଼ିକ ମଧ୍ୟରୁ ‘କୋଲ୍ଡ ମେସ୍’ ଚର୍ଚ୍ଚିତ ହୋଇଥିଲା। ଗୀତଟିରେ ଜିମ୍ ସାର୍ବ ଓ ଜୋୟା ହୁସେନ ନଜର ଆସିଥିଲେ।