Categories: ମେଟ୍ରୋ

ଓଭରବ୍ରିଜରେ ପିଟିହୋଇ ୨ ସାଙ୍ଗଙ୍କ ଜୀବନ ଗଲା, ଜଣେ ଗୁରୁତର

ପୁରୀ ଅଫିସ,୨୦ା୬ : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ସଦର ଥାନା ଅନ୍ତର୍ଗତ ମାଳତୀପାଟପୁର ଓଭରବ୍ରିଜରେ ପିଟିହୋଇ ଦୁଇ ସାଙ୍ଗଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁବାର ଭୋର୍‌ରୁ ଏହି ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଭଦ୍ରକର ରୁଦ୍ର ପ୍ରତାପ ବାରିକ(୨୦) ଓ ବିଶ୍ୱଜିତ ବାରିକ (୨୧)। ଆହତ ଜଣକ ହେଲେ ରାକେଶ କୁମାର ବାରିକ(୨୨)। ସଦର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକର ରୁଦ୍ରପ୍ରତାପ, ବିଶ୍ୱଜିତ, ରାକେଶ, ଚନ୍ଦନ ଓ ଟିପୁ ବାରିକ ଭୁବନେଶ୍ୱର ସହିଦନଗରସ୍ଥିତ ଏକ ବିଉଟିପାର୍ଲରରେ କାର୍ଯ୍ୟ କରୁଛନ୍ତି। ବୁଧବାର ରାତିରେ ଜଣେ ବନ୍ଧୁଙ୍କ ଭୋଜିରେ ଯୋଗଦାନ କରି ବିଳମ୍ବିତ ରାତିରେ ଦୁଇଟି ବାଇକରେ ପୁରୀ ବୁଲିବାକୁ ବାହାରିଥିଲେ। ଗୋଟିଏ ବାଇକରେ ରୁଦ୍ରପ୍ରତାପ, ବିଶ୍ୱଜିତ ଓ ରାକେଶ ଆସୁଥିଲେ। ଅନ୍ୟ ବାଇକ୍‌ରେ ଚନ୍ଦନ ଓ ଟିପୁ ଯାଉଥିଲେ। ରୁଦ୍ରପ୍ରତାପ ବାଇକ ଚଳାଇ ମାଳତୀପାଟପୁରରେ ଓଭରବ୍ରିଜ ଦେଇ କୋଣାର୍କ ଆଡ଼କୁ ଯାଉଥିଲେ। ଏହି ସମୟରେ ଓଭରବ୍ରିଜ ନିକଟ ହମ୍ପସ୍‌ରେ ରୁଦ୍ରପ୍ରକାଶ ଚଳାଉଥିବା ବାଇକ୍‌ଟି ଭାରସାମ୍ୟ ହରାଇ ଓଭରବ୍ରିଜ ପାଚେରୀରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ବିଶ୍ୱଜିତ ଏବଂ ରୁଦ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଆହତ ରାକେଶଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇ ସାଙ୍ଗଙ୍କ ଅବସ୍ଥା ଭଲ ଥିବା ଜଣାପଡ଼ିଛି। ଖବରପାଇ ସଦର ପୋଲିସ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଇ ତଦନ୍ତ ଜାରିରଖିଛି।

Share