ଓଭରଲୋଡିଂ ଗାଡ଼ି ଚଳାଚଳ ଉପରେ କଟକଣା: ବଜାର ଅଞ୍ଚଳରେ ୬ ଘଣ୍ଟା ବନ୍ଦ

ବନ୍ତ, ୨୮।୧୧(ଡି.ଏନ.ଏ.)-ଭଦ୍ରକ-ଆନନ୍ଦପୁର ୫୩ ନଂ. ରାଜ୍ୟ ରାଜପଥର ବନ୍ତ ବଜାର ଅଞ୍ଚଳରେ ଗତ କିଛିଦିନ ଧରି ଓଭରଲୋଡିଂ ଗାଡ଼ି ଚଳାଚଳକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ଏ ସମ୍ପର୍କରେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଆସୁଥିଲା। ୪ ଦିନ ତଳେ ପ୍ରଶାସନ ପକ୍ଷରୁ ଓଭରଲୋଡିଂ ଗାଡ଼ି ଯାଞ୍ଚ କରାଯାଇ ଜରିମାନା ଆଦାୟ କରାଯାଇଥିଲା। ଏଥିସହ ବିଦ୍ୟାଳୟ ଓ କଲେଜ ସମୟରେ ଓଭରଲୋଡିଂ ଗାଡ଼ି ଯାତାୟାତ ବନ୍ଦ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଥିଲେ। ପ୍ରଶାସନ ପକ୍ଷରୁ ଏହା ଉପରେ କଟକଣା ଲାଗୁ କରାଯାଇଛି। ସକାଳ ୮ଟାରୁ ପୂର୍ବାହ୍ନ ୧୧ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୬ ଘଣ୍ଟା ଓଭରଲୋଡିଂ ଗାଡ଼ିଗୁଡ଼ିକ ଏହି ଅଞ୍ଚଳରେ ଚଳାଚଳ କରିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।
ମଙ୍ଗଳବାର ଅପରାହ୍ନରେ କେତେକ ଓଭରଲୋଡିଂ ଗାଡ଼ି ଚଳାଚଳ କରୁଥିବାବେଳେ ସ୍ଥାନୀୟ ଲୋକେ ଅଟକାଇ ପୋଲିସକୁ ଖବର ଦେଇଥିଲେ। ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଓଭରଲୋଡିଂ ଗାଡ଼ି ଚଳାଚଳ ବନ୍ଦ କରାଯାଉ ବୋଲି ସେମାନେ ଦାବି କରିଥିଲେ। ବୁଧବାର ବନ୍ତ ତହସିଲ ଅଫିସରେ ଉପଜିଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ତହସିଲଦାର ବିଜୟ କୁମାର ସେଠୀ, ଥାନାଧିକାରୀ ମିନା ବିନ୍ଧାଣୀ ପ୍ରମୁଖ ଡମ୍ପର ମାଲିକ ସଂଘର ସଦସ୍ୟ ଏବଂ ଅଭିଯୋଗକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ବନ୍ତ ବଜାର ଅଞ୍ଚଳରେ ସ୍ପିଡିବ୍ରେକର ଲଗାଯିବା ସହ ଗାଡ଼ିଗୁଡିକ ଓଭରଲୋଡିଂ ନେବେ ନାହିଁ ଏବଂ ଧୀରେ ଗାଡ଼ି ଚଳାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଶେଷରେ ଅଟକ ରହିଥିବା ଗାଡ଼ିଗୁଡ଼ିକର କାଗଜପତ୍ର ଯାଞ୍ଚ କରାଯାଇ ଛାଡ଼ି ଦିଆଯାଇଥିଲା।