ତାଳଚେର, ୨୧ା୮(ନି.ପ୍ର.)-ତାଳଚେର ବ୍ଲକ ଗୁରୁଜାଙ୍ଗୁଲି ପଞ୍ଚାୟତ ଚାଇଁପାଳ ବାଳିକା ଉଚ୍ଚବିଦ୍ୟାଳୟ ନିକଟରେ ନିର୍ମାଣ କରାଯାଇଥିବା ପାନୀୟଜଳ ପ୍ରକଳ୍ପ ଓଭରହେଡ ଟାଙ୍କି କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗ୍ରାମବାସୀ ମଙ୍ଗଳବାର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କୁ ଅଭିଯୋଗ କରିଛନ୍ତି। ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ସହ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅଭିଯୋଗ ସମ୍ପର୍କରେ ବ୍ଲକ ଅଧ୍ୟକ୍ଷ ଅନୁଗୋଳ ଜିଲାପାଳ ଓ ତାଳଚେର ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି। ତେବେ ଅଭିଯୋଗ ଉପରେ ଆର୍ଡବ୍ଲ୍ୟୁଏସ୍ଏସ୍ ଜେଇ ସୁବାସ ସେନାପତି କହିଛନ୍ତି, ପାଣି ଟାଙ୍କି କାମ ଠିକ୍ ହୋଇଛି। ଫିନିସିଙ୍ଗ କାମ ଠିକ୍ ହୋଇ ନାହିଁ। ଏହା କରାଯିବାକୁ ଠିକାଦାରଙ୍କୁ କୁହାଯାଇଛି।