Categories: ଖେଳ

‘ଓଭର ଥ୍ରୋ ଚୌକାକୁ ବାତିଲ୍‌ କରିବାକୁ ଅମ୍ପାୟରଙ୍କୁ କହି ନ ଥିଲି’

ଲଣ୍ଡନ,୧।୮ (ପି.ଟି.)- ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକ ଭରା ଆଇସିସି ବିଶ୍ୱକପ୍‌ ଫାଇନାଲରେ ଏକ ବିବାଦୀୟ ଘଟଣାକ୍ରମେ ବେନ୍‌ ଷ୍ଟୋକ୍ସଙ୍କ ବ୍ୟାଟ୍‌ ବାଜି ଓଭର ଥ୍ରୋ ଜରିଆରେ ଇଂଲଣ୍ଡରକୁ ୪ ରନ୍‌ ମିଳିଥିଲା। ତେବେ ଅମ୍ପାୟରଙ୍କୁ ଏହି ୪ ରନ୍‌ ବାତିଲ୍‌ କରିବାକୁ ସେ କେବେ କହି ନ ଥିଲେ ବୋଲି ଫାଇନାଲ୍‌ ହିରୋ ଷ୍ଟୋକ୍ସ ସ୍ପଷ୍ଟ କରିଛନ୍ତି। ମ୍ୟାଚ୍‌ର ଅନ୍ତିମ ଓଭର ବୋଲିଂ କରୁଥିବା ଟ୍ରେଣ୍ଟ ବୋଲ୍ଟଙ୍କ ୪ର୍ଥ ବଲ୍‌ରେ ଏହି ଘଟଣା ଘଟିଥିଲା, ଯାହାକି ମ୍ୟାଚ୍‌ର ଟର୍ନିଂ ପଏଣ୍ଟ ଥିଲା। ‘ମୁଁ ସେଠାରେ ସମସ୍ତ ଘଟଣା ଦେଖିଥିଲି ଏବଂ ନିଜକୁ ନିଜେ ଭାବୁଥିଲି କି କ’ଣ ମୁଁ ଏହିଭଳି କହିଛି? କିନ୍ତୁ ଛାତି ଉପରେ ହାତ ରଖି କହିବି, ମୁଁ ଅମ୍ପାୟରଙ୍କ ନିକଟକୁ ଯାଇନାହିଁ ଓ ତାଙ୍କୁ ଏହିଭଳି କୌଣସି କଥା କହିନାହିଁ’ ବୋଲି ଇଂଲଣ୍ଡ ଅଲ୍‌ରାଉଣ୍ଡର ଷ୍ଟୋକ୍ସ ଏକ ସାକ୍ଷାତ୍‌କାର ଅବସରରେ ଏହା କହିଛନ୍ତି। ଏହି ଓଭର ଥ୍ରୋ’ରେ ବ୍ୟାଟ୍‌ ବାଜି ବଲ୍‌ ଯେତେବେଳେ ବାଉଣ୍ଡାରୀ ବାହାରକୁ ଚାଲିଯାଇଥିଲା ସେତେବେଳେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଟମ୍‌ ଲଥାମଙ୍କୁ କ୍ଷମା ମାଗିଥିବା ଷ୍ଟୋକ୍ସ ସ୍ବୀକାର କରିଛନ୍ତି। ଷ୍ଟୋକ୍ସ କହିଛନ୍ତ, ‘ ମୁଁ ସିଧା ଟମ୍‌ ଲଥାମଙ୍କ ପାଖକୁ ଯାଇଥିଲି ଏବଂ ବନ୍ଧୁ ମୋର ଭୁଲ ହୋଇଛି ବୋଲି କହିଥିଲି। ଏହାପରେ କେନ୍‌ଙ୍କ ଆଡ଼କୁ ଅନାଇ ବହୁତ ଦୁଃଖିତ ବୋଲି କହିଥିଲି’। ଉଲ୍ଲେଖ୍ୟଯୋଗ୍ୟ, ଏହି ଓଭର ଥ୍ରୋ ଚୌକା ଘଟଣା ପରେ ଷ୍ଟୋକ୍ସ ଅମ୍ପାୟରଙ୍କ ନିକଟକୁ ଯାଇ ବାଉଣ୍ଡାରୀ ବାତିଲ୍‌ କରିବାକୁ କହିଥିବା ଅନ୍ୟତମ ଇଂଲଣ୍ଡ କ୍ରିକେଟର୍‌ ଜେମ୍ସ ଆଣ୍ଡରସନ କହିଥିଲେ। କିନ୍ତୁ ଷ୍ଟୋକ୍ସ ଏବେ ଆଣ୍ଡରସନଙ୍କ ଏହି କଥାକୁ ଅସ୍ବୀକାର କରିଛନ୍ତି।

Share