ଓମଫେଡ୍‌ କ୍ଷୀର ଲିଟର ପିଛା ୪ଟଙ୍କା ବଢିଲା

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଓମଫେଡ୍‌ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି କରାଯାଇଛି। ଆସନ୍ତା ୨୭ରୁ ଏହି ଦର ଲାଗୁ ହେବ ବୋଲି ଓମଫେଡ ପକ୍ଷରୁ କୁହାଯାଇଛି। ଗୋପାଳନ ଏବଂ ଦୁଗ୍ଧ ଉତ୍ପାଦନରେ ଖର୍ଚ୍ଚ ବୃଦ୍ଧି ଯୋଗୁ ଦୁଗ୍ଧର ମୂଲ୍ୟ ବୃଦ୍ଧି କରିବାପାଇଁ ଚାଷୀମାନେ ଦୀର୍ଘଦିନରୁ ଦାବିକରି ଆସୁଥିଲେ। ଦୁଗ୍ଧ ମୂଲ୍ୟରେ ଲିଟର ପିଛା ୪ ଟଙ୍କା ବୃଦ୍ଧି କରିବାପାଇଁ ବୁଧବାର ଓମ୍‌ଫେଡ୍‌ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ନିଷ୍ପତ୍ତି ନେଇଛନ୍ତି। ଏହି ବର୍ଦ୍ଧିତ ମୂଲ୍ୟରୁ ଲିଟର ପିଛା ୩ ଟଙ୍କା ଗ୍ରାମାଞ୍ଚଳର ଦୁଗ୍ଧଚାଷୀମାନେ ସିଧାସଳଖ ପାଇବେ ବୋଲି ଓମଫେଡ କହିଛି। ଏହାଦ୍ୱାରା ଖାଉଟିମାନେ ଲିଟର ପିଛା ଟୋନ୍‌ଡ ଦୁଗ୍ଧକୁ ୩୪ ବଦଳରେ ୩୮ ଟଙ୍କା, ପ୍ରିମିୟମ୍‌ ଦୁଗ୍ଧକୁ ୪୦ ବଦଳରେ ୪୪ ଟଙ୍କା ଏବଂ ଗୋଲ୍ଡ ପ୍ରିମିୟମ୍‌ ଦୁଗ୍ଧକୁ ୪୦ ବଦଳରେ ୪୪ ଟଙ୍କାରେ କିଣିବେ। ଓମ୍‌ଫେଡ୍‌ ନିକଟରେ ଗଚ୍ଛିତ ପୁରୁଣା ପଲିଥିନ୍‌ ସରିବା ପର୍ଯ୍ୟନ୍ତ ଛାପାଥିବା ଦର ପରିବର୍ତ୍ତେ ନୂତନ ଦରରେ ଖାଉଟି ଦୁଗ୍ଧ କିଣିବାକୁ ଅନୁରୋଧ କରାଯାଇଛି।

Share