Categories: ଖେଳ

ଓମାନଠାରୁ ହାରି ଭାରତ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍‌

ମସ୍କାଟ,୨୦।୧୧(ପି.ଟି.)- ୨୦୨୨ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରୁ ଭାରତ ବାଦ୍‌ ପଡିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୧-୦ରେ ଓମାନଠାରୁ ପରାସ୍ତ ହେବା ପରେ ଏହା ସ୍ପଷ୍ଟ ହୋଇଛି। ସ୍ଥାନୀୟ ସୁଲତାନ କାବୁସ୍‌ ସ୍ପୋଟର୍‌ସ କମ୍ପ୍ଲେକ୍ସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ମୋହସିନ ଅଲ ଘସାନୀ ୩୩ତମ ମିନିଟ୍‌ରେ ଘରୋଇ ଦଳ ତରଫରୁ ୩୩ତମ ମିନିଟ୍‌ରେ ଏକମାତ୍ର ଗୋଲ ସ୍କୋର କରିଥିଲେ। ଏହା ପୂର୍ବରୁ ଗୁଆହାଟୀରେ ଅନୁଷ୍ଠିତ ଫାର୍ଷ୍ଟ ଲେଗ୍‌ରେ ଓମାନ ୨-୧ ଗୋଲରେ ଭାରତକୁ ହରାଇଥିଲା। ଭାରତ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ୩ ପଏଣ୍ଟ ପାଇବା ସହ ଗ୍ରୁପ୍‌ ଇ’ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। କାତାର ୫ଟି ମ୍ୟାଚ୍‌ ଖେଳି ୧୩ ପଏଣ୍ଟ ପାଇବା ସହ ତାଲିକାର ଶୀର୍ଷରେ ରହିଛି। ତେବେ ୧୨ ପଏଣ୍ଟ ପାଇ ଓମାନ ଦ୍ୱିତୀୟ ସ୍ଥାନରେ ରହିଛି। ଓମାନଠାରୁ ୯ ପଏଣ୍ଟ କମ୍‌ ପାଇ ଭାରତ ତୃତୀୟ ରାଉଣ୍ଡରୁ ବାଦ୍‌ ପଡିଛି। ଦ୍ୱିତୀୟ ରାଉଣ୍ଡ କ୍ୱାଲିଫାୟରରେ ଭାରତ ଆଉ ୩ଟି ମ୍ୟାଚ୍‌ ଖେଳିବ। ଯଦି ସବୁ ମ୍ୟାଚ୍‌ରେ ବିଜୟୀ ହୁଏ ତେବେ ଭାରତ ୯ ପଏଣ୍ଟ ପାଇବ। ଏପରିକି ରନର୍ସ- ଅପ୍‌ ଦଳ ମଧ୍ୟ ଯୋଗ୍ୟତା ପର୍ଯ୍ୟାୟର ତୃତୀୟ ରାଉଣ୍ଡରେ ପ୍ରବେଶ କରିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ। ଏପରି ସ୍ଥଳେ ଭାରତ ବାଦ୍‌ ପଡିବା ନିଶ୍ଚିତ ହୋଇଛି କହିଲେ ଭୁଲ୍‌ ହେବ ନାହିଁ। ତେବେ ଭାରfତ ୨୦୨୩ ଏସିଆନ କପ୍‌ କ୍ୱାଲିଫାୟର୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିବା ଲକ୍ଷ୍ୟରେ ରହିଛି। ଆସନ୍ତାବର୍ଷ ଭାରତ ବାକି ୩ଟି ମ୍ୟାଚ୍‌ ଖେଳିବ। ମାର୍ଚ୍ଚ ୨୬ ତାରିଖରେ ଘରୋଇ ପରିବେଶରେ କାତାର ବିପକ୍ଷରେ, ଜୁନ ୪ ତାରିଖରେ ବାଂଲାଦେଶ, ଜୁନ୍‌ ୯ ତାରିଖରେ ଘରୋଇ ପରିବେଶ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ମ୍ୟାଚ୍‌ ଖେଳିବ।

Share