ଓରେରାକୁ ଚକମା ଦେଉଛନ୍ତି ଅସାଧୁ ବିଲ୍‌ଡର

ଭୁବନେଶ୍ୱର,୧୩-୯(ବ୍ୟୁରୋ):ଘର କିମ୍ବା ଜମି କିଣୁଥିବା ବ୍ୟକ୍ତି ଅନେକ ସମୟରେ ଅସାଧୁ ପ୍ରମୋଟର ଓ ରିୟଲ ଇଷ୍ଟେଟ ମାଲିକଙ୍କର ଶୋଷଣର ଶିକାର ହେଉଥିଲେ। ଗ୍ରାହକମାନଙ୍କୁ ସେମାନଙ୍କଠାରୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ରିୟଲ ଇଷ୍ଟେଟ୍‌ (ରେଗୁଲେଶନ ଆଣ୍ଡ ଡେଭଲପମେଣ୍ଟ) ଆଇନ-୨୦୧୬ କାର୍ଯ୍ୟକାରୀ କରିଛନ୍ତି। ଏହାର ବର୍ଷକ ପରେ ରାଜ୍ୟ ସରକାର ଓଡ଼ିଶା ରିୟଲ ଇଷ୍ଟେଟ୍‌ (ରେଗୁଲେଶନ ଆଣ୍ଡ ଡେଭଲପମେଣ୍ଟ) ରୁଲ୍‌ସ-୨୦୧୭ କାର୍ଯ୍ୟକାରୀ କଲେ। ଅସାଧୁ ବିଲଡର ଏବଂ ରିୟଲ ଇଷ୍ଟେଟ୍‌ ମାଲିକଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ସରକାର ଓଡ଼ିଶା ରିୟଲ ଇଷ୍ଟେଟ୍‌ ରେଗୁଲେଟୋରୀ ଅଥରିଟି (ଓରେରା) ଗଠନ କରିଛନ୍ତି। ଏଥିସହିତ ରିୟଲ ଇଷ୍ଟେଟ୍‌ ଟ୍ରିବ୍ୟୁନାଲ ମଧ୍ୟ ଗଠନ କରାଯାଇଛି। ଏହି ଦୁଇଟି ସଂସ୍ଥାର ପ୍ରଶାସନିକ ଖର୍ଚ୍ଚ ବାବଦରେ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଓରେରା ଗଠନ ହେବାର ୨ ବର୍ଷ ପୂରି ଗଲାଣି। ବେଆଇନ ବିଲ୍‌ଡରଙ୍କ ଉପରେ ଅଙ୍କୁଶ ଲଗାଇବା ପରିବର୍ତ୍ତେ ପୂର୍ଣ୍ଣ କ୍ଷମତା ଦିଆଯାଇ ନ ଥିବାରୁ ଅସହାୟ ଅବସ୍ଥାରେ ରହିଛି। ଅସାଧୁ ବିଲ୍‌ଡରମାନେ ଓରେରାକୁ ଚକମା ଦେଇ ନିଜର କଳା କାରନାମା ଅବାଧରେ ଚଳାଇଥିବା ବେଳେ ପଞ୍ଜୀକୃତ ହୋଇଥିବା ରିୟଲ ଇଷ୍ଟେଟ ଓ ଡେଭଲପରମାନେ ଫସି ଯାଇଛନ୍ତି। ଅସାଧୁ ବିଲ୍‌ଡରମାନେ ପୂର୍ବରୁ ଚଳାଇ ଆସୁଥିବା ଜମିବାଡ଼ି ବ୍ୟବସାୟକୁ ବନ୍ଦ କରି ଜମି ମାଲିକ ଓ ଚାଷୀଙ୍କୁ ମୋହରା ବନାଇ ଅବାଧରେ ବହୁ କୋଟି ଟଙ୍କାର ବ୍ୟବସାୟ କରି ଚାଲିଛନ୍ତି। ଚତୁରତାର ସହିତ ଚାଷୀମାନଙ୍କୁ କିଛି ଟଙ୍କା ଦେଇ ଜମି ହାତେଇ ନେଉଛନ୍ତି। ଜମି ମାଲିକଙ୍କ ଜରିଆରେ କିଣା ବିକା ଚଳାଇଛନ୍ତି। ଏହି କାର୍ଯ୍ୟରେ ଜମି ଖରିଦ୍‌ ବିକ୍ରି ପଞ୍ଜୀକରଣ ଦାୟିତ୍ୱରେ ଥିବା ଡିଷ୍ଟ୍ରିକ୍ଟ ରେଜିଷ୍ଟ୍ରାର ଓ ସବ୍‌ରେଜିଷ୍ଟାରମାନଙ୍କର ପ୍ରଚ୍ଛନ୍ନ ହାତ ରହିଥିବା ଅଭିଯୋଗ ହୋଇଛି। ଓରେରା ନାମରେ ଜାଲ୍‌ ଫି ୧୫ରୁ ୨୫ ହଜାର ଟଙ୍କା ଆଦାୟ କରି ଶହ ଶହ ବେଆଇନ ଜମିକୁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଲେ-ଆଉଟ ଅନୁମୋଦନ ବିନା ରେଜିଷ୍ଟ୍ରି କରାଯାଉଛି। ଇନ୍ସପେକ୍ଟର ଜେନେରାଲ ଅଫ୍‌ ରେଜିଷ୍ଟ୍ରେଶନ (ଆଇଜିଆର) ମଧ୍ୟ ଏହାକୁ ଅଣଦେଖା କରି ଚାଲିଛନ୍ତି। ରାଜ୍ୟରେ ଗତ ୨ ବର୍ଷ ହେବ କେତେ ଜମି ବିକ୍ରି ହୋଇଛି ତାହାର ତାଲିକା ଓରେରା ପକ୍ଷରୁ ଆଇଜିଆରଙ୍କୁ ବାରମ୍ବାର ମଗାଯାଉଥିଲେ ମଧ୍ୟ ଦିଆଯାଉନାହିଁ। ନିକଟରେ ଆଇଜିଆର, ସବ୍‌ରେଜିଷ୍ଟ୍ରାର ଓ ଓରେରା କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକ ହୋଇଥିଲେ ମଧ୍ୟ ବେଆଇନ ଜମି ରେଜିଷ୍ଟ୍ରି କାର୍ଯ୍ୟରେ ଅଙ୍କୁଶ ଲାଗିବା ପରିବର୍ତ୍ତେ ବଢି ଚାଲିଛି। ସବ୍‌ରେଜିଷ୍ଟ୍ରାରମାନଙ୍କୁ ଓରେରା ଗାଇଡ୍‌ଲାଇନ ଦିଆଯାଇଥିଲେ ମଧ୍ୟ ତାହାକୁ ଅଣଦେଖା କରାଯାଉଛି। ଅଭିଯୋଗ ମିଳିବା ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ପଞ୍ଜୀକରଣର ତଦନ୍ତ ସୀମିତ ରହିଥିବା ବେଳେ ବିଲ୍‌ଡରମାନେ ଲୁଚିଛପି ନିଜର କଳା ବ୍ୟବସାୟ ଚାଲୁ ରଖିଛନ୍ତି।
ଅନ୍ୟପକ୍ଷରେ ସଚ୍ଚୋଟ ଉପାୟରେ ନିଜର ବ୍ୟବସାୟ କରିବାକୁ ପାଦ କାଢିଥିବା ପଞ୍ଜୀକୃତ ରିୟଲ ଇଷ୍ଟେଟ ଏବଂ ଡେଭଲପରମାନେ ଓରେରାର ଚକ୍ରବୂ୍ୟହରେ ଫସିଯାଇଛନ୍ତି। ଓରେରା ଗାଇଡ ଲାଇନରୁ ସାମାନ୍ୟ ବିଚ୍ୟୁତି ହେବା ମାତ୍ରେ ପ୍ରକଳ୍ପକୁ ଫୋପାଡ଼ି ଦିଆଯାଉଛି। ଅନ୍‌ଲାଇନ ଆବେଦନ ଡେଭଲପରଙ୍କ ସମସ୍ୟାକୁ ଆହୁରି ବଢାଇଦେଇଛି। ସଫ୍ଟଓ୍ବେର ସମସ୍ୟା ଯୋଗୁ ମାସ ମାସ ଧରି ପ୍ରକଳ୍ପ ଅନୁମୋଦନ ନ ହୋଇ ପଡ଼ିରହୁଛି। ଆଇନଗତ ସମସ୍ୟା ଯୋଗୁ ପ୍ରକଳ୍ପ ଅନୁମୋଦନ ହେବାରେ ସମସ୍ୟା ରହୁଥିବା ଓରେରା ପକ୍ଷରୁ କୁହାଯାଉଛି। ଓରେରାରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୭ ମେ ୧ ତାରିଖରୁ ୨୦୧୯ ସେପ୍ଟେମ୍ବର ୧୨ ତାରିଖ ମଧ୍ୟରେ ମୋଟ ୭୨୬ଟି ପ୍ରକଳ୍ପ ଅନୁମୋଦନ ପାଇଁ ଆବେଦନ କରାଯାଇଛି। ସେଥିରୁ ମାତ୍ର ୩୦୮ଟି ଅନୁମୋଦନ ହୋଇଛି। ଗ୍ରାମାଞ୍ଚଳରେ ଗଢି ଉଠିଥିବା ତଥା ବିଡିଓ ଏବଂ ସରପଞ୍ଚଙ୍କ ଦ୍ୱାରା ଅନୁମୋଦିତ ୧୪୬ଟି ଆବାସିକ, ବ୍ୟବସାୟିକ ପ୍ରକଳ୍ପ ପାଇଁ କୌଣସି ଗାଇଡ୍‌ଲାଇନ ନ ଥିବାରୁ ତାହା ତ୍ରିଶଙ୍କୁ ଅବସ୍ଥାରେ ରହିଛି। ଏହି ପ୍ରକଳ୍ପ ଗୁଡ଼ିକରେ ନିର୍ମିତ ୨୨,୩୩୩ଟି ଆବାସିକ ଗୃହ ଗ୍ରାହକଙ୍କ ନାମରେ ପଞ୍ଜୀକୃତ ହୋଇପାରୁନାହିଁ। କୋଟି କୋଟି ଟଙ୍କା ପୁଞ୍ଜି ନିବେଶ କରିଥିବା ଡେଭଲପରମାନେ ସେମାନଙ୍କ ଆପାର୍ଟମେଣ୍ଟକୁ ବିକ୍ରି କରିପାରୁନାହାନ୍ତି। ଦେଶରେ ଆର୍ଥିକ ମାନ୍ଦାବସ୍ଥା ଚାଲିଥିବା ବେଳେ ରାଜ୍ୟରେ ପଞ୍ଜୀକୃତ ରିୟଲ ଇଷ୍ଟେଟ୍‌ରେ କର୍ମଚାରୀ ଛଟେଇ ହେବା ସହ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ରାଜ୍ୟରେ ପ୍ରାୟ ୩୫୦ ଅସାଧୁ ବିଲ୍‌ଡର ଚାଷୀଙ୍କ ଆଢୁଆଳରେ ରହି ଏଭଳି କଳାକାରନାମା ଚଳାଇଛନ୍ତି। ଏଥିଯୋଗୁ ରାଜ୍ୟ ସରକାରଙ୍କୁ ବାର୍ଷିକ ପ୍ରାୟ ୩ ହଜାର କୋଟି କ୍ଷତି ସହିବାକୁ ପଡୁଛି। ଆଇଜିଆର କିମ୍ବା ସବ୍‌ରେଜିଷ୍ଟ୍ରାରମାନଙ୍କର ସହଯୋଗ ମିଳୁ ନ ଥିବାରୁ ଅସାଧୁ କାରବାର ରୋକାଯାଇ ପାରୁନାହିଁ। ପ୍ରକଳ୍ପ ଅନୁମୋଦନ ପାଇଁ ଆସିଲେ ଓରେରା ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିବ। ଏହାକୁ ଦୃଷ୍ଟିରେ ରଖି ଆବାସିକ ପ୍ରକଳ୍ପ ପାଇଁ ପ୍ରତି ବର୍ଗମିଟରକୁ ୫ ଟଙ୍କା ସର୍ବାଧିକ ୨ଲକ୍ଷ ୫୦ ହଜାର ଟଙ୍କା, ବାଣିଜି୍ୟକ ପ୍ରକଳ୍ପ ପାଇଁ ପ୍ରତି ବର୍ଗମିଟରକୁ ୧୦ ଟଙ୍କା ସର୍ବାଧିକ ୫ ଲକ୍ଷ ଏବଂ ଉଭୟ ଆବାସିକ ଓ ବ୍ୟବସାୟିକ ପ୍ରକଳ୍ପ ପାଇଁ ପ୍ରତି ବର୍ଗମିଟରକୁ ୭ ଟଙ୍କା ସର୍ବାଧିକ ୩ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ବେଆଇନ ଜମି କାରବାର ଯୋଗୁ ପ୍ରକଳ୍ପ ଆୟରୁ ଓରେରା ନିଜ ଖର୍ଚ୍ଚ ତୁଲାଇବା ନେଇ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ମଧ୍ୟ ଧୂଳିସାତ୍‌ ହେଉଛି। ଅନ୍ୟପକ୍ଷରେ ରିୟଲ ଇଷ୍ଟେଟ ଆଇନର ଭିତରେ ରହି ସରକାରଙ୍କୁ ଟିକସ ଦେଉଥିବା ବିଲ୍‌ଡରମାନେ ମଧ୍ୟ ଏହି ବ୍ୟବସାୟରୁ ମୁହଁ ମୋଡ଼ିବା ଆରମ୍ଭ କଲେଣି। ଯେଉଁ କେତେକ ତିଷ୍ଠି ରହିଛନ୍ତି ପ୍ରକଳ୍ପ ଅନୁମୋଦନରେ ବିଳମ୍ବ ହେଉଥିବାରୁ ସାଂଘାତିକ ଆର୍ଥିକ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି। ସରକାର ଏ ଦିଗରେ ତୁରନ୍ତ ଧ୍ୟାନ ନ ଦେଲେ ରିୟଲ ଇଷ୍ଟେଟ୍‌ ବ୍ୟବସାୟ ଅନ୍ଧକାରମୟ ହେବ ବୋଲି ରିୟଲ ଇଷ୍ଟେଟ ସଂଘ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାର ବେଆଇନ ଜମି ବିକ୍ରି କରିବା ଉପରେ କଟକଣା ନ ଲଗାଇଲେ ଅସାଧୁ ବିଲ୍‌ଡରଙ୍କର କଳାକାରବାରକୁ ରୋକାଯାଇପାରିବ ନାହିଁ ବୋଲି ଓରେରାର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ

ସମ୍ବଲପୁର, ୨୮ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ବଡ଼ଡୁଙ୍ଗୁରୀ ଗ୍ରାମରେ ୨୦୨୦ ନଭେମ୍ବର ୮ ରେ ଘଟିଥିବା ନାବାଳିକା ବଳାତ୍କାର ମାମଲାର ରାୟ...

ନର୍ସିଂ ଆନ୍ଦୋଳନକୁ ନେଇ ବଡ଼ ଖବର, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୮।୯: ୪ଦିନର କାର୍ଯ୍ୟବନ୍ଦ ଆନ୍ଦୋଳନ ପରେ ଶନିବାର ନର୍ସିଂ କର୍ମଚାରୀଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଲୋଚନା କରିଛନ୍ତି। ସରକାର ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର...

ମୋହନ ସରକାରଙ୍କ ବଡ଼ ଘୋଷଣା, ବଢିଲା ଅବଧି…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଥମୁନି ଦାଦନ ଦୁଃଖ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଥୁଆମୁଳ ରାମପୁର,୨୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡିରେ ପୁଣି ଦାଦନ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି...

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ଗୋପାଳକ ଓ ଦୁଗ୍ଧଚାଷୀଙ୍କୁ ମିଳିବ…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଆର୍‌ଏସ୍‌ପିରେ ବଡ଼ ଧରଣର ବିସ୍ଫୋରଣ

ରାଉରକେଲା,୨୮।୯(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଷ୍ଟିଲ୍‌ ମେଲ୍‌ଟିଂ ଶପ୍‌ (ଏସ୍‌ଏମ୍‌ଏସ୍‌)-୧ କନଭର୍ଟରରେ ଶନିବାର ବିସ୍ପୋରଣ ଘଟିଛି। ଫଳରେ ୪ଜଣ ସ୍ଥାୟୀ ଏବଂ ଜଣେ...

ଭଦ୍ରକ ତୁମୁଳକାଣ୍ଡର ୭ ଅଭିଯୁକ୍ତ ଗିରଫ: ଏସ୍‌ପି କହିଲେ…

ଭଦ୍ରକ,୨୮।୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼...

ଭାଜପାର ମାଷ୍ଟର ଗେମ୍‌: ପାର୍ବଣରେ ନୂଆ ପ୍ଲାନ୍‌, ହାତେଇ ନେବକି…

ଭୁବନେଶ୍ୱର,୨୮।୯: ଧରାପୃଷ୍ଠକୁ ଆସୁଛନ୍ତି ମା’ ଜଗତଜନନୀ ଦୁର୍ଗା। ଏନେଇ ଚଳଚଞ୍ଚଳ ହୋଇଉଠୁଛି ପୂଜା ମଣ୍ଡପ। ଏହି ପରିପ୍ରେକ୍ଷୀରେ ଭାଜପା ଏକ ବଡ଼ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri