ଓଲଟିଲା ଟ୍ରକ୍‌ : ଚକାତଳେ ହେଲ୍‌ପରଙ୍କ ଜୀବନଗଲା, ଡ୍ରାଇଭର ଗୁରୁତର

ଯୋଡ଼ା,୧୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ୨ନଂ. ରାଜ୍ୟ ରାଜପଥ ଡିବି ସିଂ ଛକ ନିକଟସ୍ଥ ରାସ୍ତାରେ ଏକ ୧୨ ଚକିଆ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଚକାତଳେ ଚାପି ହୋଇ ହେଲପରଙ୍କ ଜୀବନ ଯାଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇଥିବା ଜଣାପଡ଼ିଛି।
ଗୁରୁବାର ଅପରାହ୍ନରେ ଏକ ୧୨ ଚକିଆ ଟ୍ରକ ରଣାଶାଳ ଘାଟି ଆଡୁ ଯୋଡ଼ା ଅଭିମୁଖେ ଆସୁଥିବା ବେଳେ ପ୍ରାୟ ୧୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଫଳରେ ହେଲପର ବିକୁ ନାଏକ(୧୮) ଟ୍ରକ ତଳେ ଚାପି ହୋଇଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଡ୍ରାଇଭର ଧରଣୀଧର ନାଏକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ଯୋଡ଼ା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପୋଲିସ ଏହାର ତଦନ୍ତ ଜାରି ରଖିଛି। ମୃତ ହେଲପର ଏବଂ ଡ୍ରାଇଭରଙ୍କ ଘର ମୟୂରଭଞ୍ଜ ଜିଲା କେରେକେରା ଅଞ୍ଚଳରେ ବୋଲି ଜଣାପଡ଼ିଛି।