Categories: ବାଣିଜ୍ୟ

ଓଲା-ଉବର ଯୋଗୁ ଅଟୋ ସେକ୍ଟରରେ ମାନ୍ଦାବସ୍ଥା: ଅର୍ଥମନ୍ତ୍ରୀଙ୍କୁ ସମର୍ଥନ କଲା ମାରୁତି

ନୂଆଦିଲ୍ଲୀ,୨୦-୯:ଓଲା ଓ ଉବର କ୍ୟାବ୍‌ ଆଧାରିତ ଟ୍ୟାକ୍ସି ସୁବିଧା ଯୋଗୁ ଦେଶର ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଆସିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ବୟାନକୁ ଶେଷରେ ମାରୁତି ସୁଜୁକି ମଧ୍ୟ ସମର୍ଥନ କରିଛି। ମିଡିଆକୁ ଏକ ସାକ୍ଷତାକାର ଦେଇ କମ୍ପାନୀ ଅଧ୍ୟକ୍ଷ ଆର୍‌.ସି.ଭାର୍ଗବ ଅର୍ଥମନ୍ତ୍ରୀଙ୍କ ବୟାନକୁ ଉଚିତ୍‌ ବୋଲି ଦର୍ଶାଇଛନ୍ତି। ତେବେ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଅର୍ଥମନ୍ତ୍ରୀଙ୍କ ବୟାନ ସହ ସହମତ ନୁହେଁ ବୋଲି ପୂର୍ବରୁ କହିସାରିଛନ୍ତି।
ଅର୍ଥମନ୍ତ୍ରୀ ସୀତାରାମନ୍‌ ଏକ ଖବରଦାତା ସମ୍ମିଳନୀରେ କହିଥିଲେ ଯେ, ଆଜିକାଲିର ଯୁବବର୍ଗ ଇଏମ୍‌ଆଇ ଜରିଆରେ ନୂଆ କାର୍‌ କିଣିବା ପରିବର୍ତ୍ତେ ଓଲା-ଉବର କ୍ୟାବ୍‌ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ସେ କହିଥିଲେ ଯେ, ଅଟୋ ମୋବାଇଲ ଶିଳ୍ପ ଉପରେ ବିଏସ୍‌-୬ ଏବଂ ଲୋକଙ୍କ ଚିନ୍ତାଧାରାରେ ହେଉଥିବା ପରିବର୍ତ୍ତନର ପ୍ରଭାବ ପଡୁଛି। ମାରୁତି ଅଧ୍ୟକ୍ଷ ଭାର୍ଗବ ଏକ ଖବର କାଗଜକୁ ସାକ୍ଷାତ୍‌କାର ଦେଇ କହିଛନ୍ତି ଯେ, ଓଲା,ଉବର ଭଳି ରାଇଡ୍‌-ହେଲିଙ୍ଗ୍‌ କମ୍ପାନୀ କାରଣରୁ ଭାରତୀୟ ଯୁବବର୍ଗ ଯାତାୟାତ ଲାଗି କାର୍‌ କିଣିବାକୁ ଆବଶ୍ୟକ ମଣୁ ନାହାନ୍ତି। ଏହା ବଦଳରେ ସେମାନେ ନିଜ ଆୟରୁ ଅଧିକ ସଞ୍ଚୟ କରି ମହଙ୍ଗା ଇଲେକ୍ଟ୍ରୋନିକ ସାମଗ୍ରୀ କିଣିବାକୁ ଏବଂ ବୁଲିବାକୁ ପସନ୍ଦ କରୁଛନ୍ତି। ଏଣୁ ସୀତାରାମନ୍‌ଙ୍କ ବୟାନ ଠିକ୍‌ ଥିଲା। ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, କାର୍‌ ଦାମ ଦିନକୁ ଦିନ ବଢ଼ିଛି। ଅନ୍ୟପକ୍ଷରେ ଲୋକଙ୍କ କ୍ରୟଶକ୍ତି ବଢ଼ି ନାହିଁ। ଭାରତରେ ପ୍ରତି ବ୍ୟକ୍ତି ଆୟ ମାତ୍ର ୨୨୦୦ ଡଲାର(ପ୍ରାୟ ୧.୫୬ ଲକ୍ଷ ଟଙ୍କା ବାର୍ଷିକ)। ଅପରପକ୍ଷରେ ୟୁରୋପରେ ଏହା ୧୮ ଗୁଣା ଅଧିକ। ସେଠାରେ ପ୍ରତି ବ୍ୟକ୍ତି ଆୟ ୪୦ ହଜାର ଡଲାର। କିନ୍ତୁ ଭାରତ ଓ ୟୁରୋପର କାର୍‌ ମାନରେ ବିଶେଷ କିଛି ଫରକ ନାହିଁ। ସେହିପରି ଚାଇନା ଓ ୟୁରୋପ ତୁଳନାରେ ଏଠାରେ ଅଧିକ ଟିକସ ଆଦାୟ କରାଯାଉଛି। ଏଭଳି ସ୍ଥିତିରେ ଲୋକେ ଅଧିକ ସଂଖ୍ୟାରେ କାର୍‌ କିଣିବେ ବୋଲି ଭାବିବା ଉଚିତ୍‌ ହେବ ନାହିଁ।

Share