ଓଷୁଅ ଲାଗି ହେଲେ ଠାକୁର

ପୁରୀ ଅଫିସ, ୨୩ା୬: ପବିତ୍ର ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ୧୦୮ ଗଡ଼ୁ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ। ଜ୍ୱରରୁ ଉପଶମ ପାଇବା ପାଇଁ ଅଣସର ଘରେ ଚତୁର୍ଦ୍ଧାବିଗ୍ରହଙ୍କର ଚାଲିଛି ଗୁପ୍ତ ସେବା। ଭିତର ଅଣସର ପିଣ୍ଡିରେ ଚାଲିଥିବା ଏହି ଗୁପ୍ତ ସେବାରେ ଶନିବାର ପଞ୍ଚମୀରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରିଛନ୍ତି ଦଇତାପତି ସେବାୟତ। ରବିବାର ଷଷ୍ଠୀରେ ଶ୍ରୀବିଗ୍ରହଙ୍କୁ ଓଷୁଅ ଲାଗି କରାଯିବାର ପରମ୍ପରା ରହିଛି। ତେଣୁ ମହାପ୍ରଭୁଙ୍କୁ ଓଷୁଅ ଲାଗି କରାଯାଇଛି। ଏ ସମ୍ପର୍କରେ ବରିଷ୍ଠ ଦଇତାପତି ସେବକ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି, ଅଣସର ସମୟରେ ମହାପ୍ରଭୁଙ୍କୁ ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଓଷୁଅ ଲାଗି କରାଯାଇଥାଏ। ଏହି ଚାରିଦିନ ମଧ୍ୟାହ୍ନ ଧୂପ ସରିବା ପରେ ଅଣସର ଘର ଖୋଲିଥାଏ। ଅଣସର ଶୁଦ୍ଧୁସୁଆର ଝୁଣା, ରାଶିତେଲରେ ପ୍ରସ୍ତୁତ କରିଥିବା ଓଷୁଅ ଦଇତାପତିମାନେ ନେଇ ଶ୍ରୀଅଙ୍ଗରେ ଲେପ ଦିଅନ୍ତି। ଏହାପରେ ଠାକୁରଙ୍କ ଚକଟା ଭୋଗ, ପଣା ଭୋଗ ହୋଇ ଅନ୍ୟାନ୍ୟ ନୀତି କରାଯାଏ।

Share