Categories: ଖେଳ

ଓସାକାଙ୍କୁ ଚାଇନା ଓପନ ଟାଇଟଲ

ବେଜିଂ, ୭।୧୦(ଏଏଫପି)- ବିଶ୍ୱର ନମ୍ବରଓ୍ବାନ ଆଶଲେ ବାର୍ଟିଙ୍କୁ ହରାଇ ନାଓମି ଓସାକା ଚାଇନା ଓପନ ଟେନିସ ଟାଇଟଲ ଜିତିଛନ୍ତି। ପ୍ରଥମ ସେଟ୍‌ରେ ପଛୁଆ ରହିଥିଲେ ହେଁ ସେ ସଫଳ ପ୍ରତ୍ୟାବର୍ତ୍ତନ କରି କ୍ରମାଗତ ଟାଇଟଲ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ବାର୍ଟିଙ୍କୁ ୩-୬, ୬-୩, ୬-୨ ସେଟ୍‌ରେ ହରାଇ ଓସାକା ଚାମ୍ପିୟନ ହୋଇଛନ୍ତି। ମ୍ୟାଚଟି ୧୧୦ ମିନିଟ ଧରି ଚାଲିଥିଲା। ୨୧ ବର୍ଷୀୟା ଓସାକା ସେମିଫାଇନାଲରେ ଗତବର୍ଷର ଚାମ୍ପିୟନ କାରୋଲିନ ଓଜନିଆକିଙ୍କୁ ହରାଇଥିଲେ। ବିଶ୍ୱର ୪ ନମ୍ବର ର଼୍ୟାଙ୍କପ୍ରାପ୍ତ ଏହି ଜାପାନ ଟେନିସ ତାରକା ଗତମାସରେ ପାନ୍‌ ପାସିଫିକ୍‌ ଓପନ ଟାଇଟଲ ଜିତିଥିଲେ। ୨୩ ବର୍ଷୀୟା ବାର୍ଟି ମାତ୍ର ୩୪ ମିନିଟ ମଧ୍ୟରେ ପ୍ରଥମ ସେଟ୍‌ ଜିତି ଓସାକାଙ୍କୁ ନିରାଶ କରିଥିଲେ। ମାତ୍ର ବେଜିଂ ଦର୍ଶକଙ୍କ ଭରପୂର ସମର୍ଥନରେ ଉତ୍ସାହିତ ଓସାକା ସଫଳ ପ୍ରତ୍ୟାବର୍ତ୍ତନ କରିବାରେ ସକ୍ଷମ ହୋଇଥିଲେ। ଚଳିତ ବର୍ଷ ଓସାକାଙ୍କ ପାଇଁ ଏହାଥିଲା ୩ୟ ଏବଂ ଓଭରଅଲ୍‌ କ୍ୟାରିୟରର ୫ମ ଟାଇଟଲ।

Share