ଓସା ନିର୍ବାଚନ : ଗୃହ ପ୍ରମୁଖ ସଚିବଙ୍କୁ କର୍ମଚାରୀଙ୍କ ଦାବିପତ୍ର

ଭୁବନେଶ୍ୱର, ୧୯।୯(ବ୍ୟୁରୋ)- ଓଡ଼ିଶା ସଚିବାଳୟ ସେବା ସଂଘ(ଓସା)ର ନିର୍ବାଚନ ବିଳମ୍ବ ନେଇ କର୍ମଚାରୀ ମହଲରେ ଆଲୋଡନ ସୃଷ୍ଟି ହୋଇଛି। ଦୁଇ ବର୍ଷ ପୂର୍ବେ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିଯାଇଛି। ହେଲେ ପରବର୍ତ୍ତୀ ନିର୍ବାଚନ ନେଇ କୌଣସି ପ୍ରକ୍ରିୟା ଏଯାଏ ଦେଖିବାକୁ ମିଳିନାହିଁ। ସେହିପରି କାର୍ଯ୍ୟକାଳ ସରିବା ପରେ ସଂଘର ସଭାପତି, ସମ୍ପାଦକ ତଥା ଅନ୍ୟାନ୍ୟ ପଦବୀରେ କାର୍ଯ୍ୟ ଜାରି ରଖିବା ପାଇଁ ସଂଘର ସାଧାରଣ ପରିଷଦ ବୈଠକର ଅନୁମତି ଆବଶ୍ୟକ ହୋଇଥାଏ। ମାତ୍ର ସେପରି କିଛି ପ୍ରକ୍ରିୟା ଓସା ଦ୍ୱାରା ଅନୁପାଳନ କରାଯାଇ ନ ଥିବା କେତେକ କର୍ମଚାରୀ ଅଭିଯୋଗ କରିଛନ୍ତି। ଏପରି ପରିସ୍ଥିତି ପୂର୍ବରୁ କେବେ ଉପୁଜି ନ ଥିବା କର୍ମଚାରୀମାନେ କହିଛନ୍ତି। ତେଣୁ ତୁରନ୍ତ ନିର୍ବାଚନ ପାଇଁ ନିୟମ ଅନୁଯାୟୀ ପଦକ୍ଷେପ ନେବା ଲାଗି କର୍ମଚାରୀମାନେ ଗୃହ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ଦାବିପତ୍ରରେ ସଚିବାଳୟର ୧୨୪୨ ଜଣଙ୍କ ସ୍ବାକ୍ଷର ରହିଥିବା ଜଣାଯାଇଛି। ସରକାର ସ୍ବୀକୃତି ଥିବା ଓସା ଏକ ପ୍ରତିଷ୍ଠିତ ଫୋରମ୍‌ । ଏହାର ପରିଚାଳନା ପାଇଁ ସ୍ବତନ୍ତ୍ର ଆଇନ ବହି(ବାଇ-ଲ) ମଧ୍ୟ ରହିଛି। ତେଣୁ ଏପରି ଏକ ପ୍ରତିଷ୍ଠିତ ସଂଘର ନିୟମିତ ସମୟରେ ନିର୍ବାଚନ ନ ହେବା ଦୁର୍ଭାଗ୍ୟଜନକ ବୋଲି ଅନେକେ ମତ ଦେଇଛନ୍ତି। ଓସା ନିର୍ବାଚନ ବିଳମ୍ବ ହେବା ସମ୍ପର୍କରେ ଧରିତ୍ରୀରେ ଗତ ୨୬ ଅଗଷ୍ଟରେ ଏକ ଖବର ପ୍ରକାଶିତ ହୋଇଥିଲା।

Share