Categories: ଖେଳ

ଓସିଏ ନିର୍ବାଚନ: ପ୍ରାର୍ଥିପତ୍ର ଯାଞ୍ଚ: ଚୂଡ଼ାନ୍ତ ତାଲିକା ଘୋଷଣା ଆଜି

କଟକ ଅଫିସ,୨୨ା୯-
ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନର ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଶନିବାର ଶେଷ ହୋଇଛି। ଦାଖଲ ହୋଇଥିବା ୧୨ଟି ଯାକ ପ୍ରାର୍ଥିପତ୍ର ଯାଞ୍ଚ ହୋଇଥିବା ବେଳେ କେବଳ ଗୋଟିଏ ପ୍ରାର୍ଥିପତ୍ରକୁ ନେଇ ସମସ୍ୟା ସୃଷ୍ଟି ହୋଇଥିଲା। ପ୍ରଦୀପ ଚୌହ୍ବାନଙ୍କ ଗୋଷ୍ଠୀ ପକ୍ଷରୁ ଉପସଭାପତି ପଦବୀ ନିମନ୍ତେ ଆବେଦନ କରିଥିବା ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକଙ୍କ ପ୍ରାର୍ଥିପତ୍ରରେ ତ୍ରୁଟି ରହିଛି ବୋଲି ବିପକ୍ଷ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ଭିତ୍ତିହୀନ ବୋଲି ପ୍ରମାଣିତ ହେବା ପରେ ୧୨ଟି ଯାକ ପ୍ରାର୍ଥିପତ୍ର କାଏମ ରହିଛି । ନିର୍ବାଚନ ପାଇଁ ରବିବାର ଚୂଡ଼ାନ୍ତ ପ୍ରାର୍ଥିମାନଙ୍କ ନାମ ଘୋଷଣା କରାଯିବ ।
ସୋନପୁର ଜିଲାରୁ ପ୍ରତିନିଧି ହୋଇ ଆସିଥିବା ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ ପ୍ରଦୀପ ଚୌହ୍ବାନଙ୍କ ଗୋଷ୍ଠୀ ପକ୍ଷରୁ ଉପସଭାପତି ପଦବୀ ନିମନ୍ତେ ଆଶାୟୀ ଅଛନ୍ତି। ତାଙ୍କ ପ୍ରାର୍ଥିପତ୍ରରେ ସାକ୍ଷୀ ପଡ଼ିଛନ୍ତି କଟକ ସନରାଇଜ କ୍ଲବର କୋଷାଧ୍ୟକ୍ଷ । ଏହି ପ୍ରସଙ୍ଗକୁ ବିପକ୍ଷ ଗୋଷ୍ଠୀ ବିରୋଧ କରିଥିଲେ । ପ୍ରାର୍ଥି ଯେଉଁ ୟୁନିଟରୁ ପ୍ରତିନିଧି ହୋଇ ଆସିବେ ସାକ୍ଷୀ ସେହି ୟୁନିଟର ହୋଇଥିବା ଆବଶ୍ୟକ ବୋଲି ଅଭିଯୋଗ ରହିଥିଲା। ଅପରାହ୍ନରେ ପ୍ରଶାନ୍ତଙ୍କ କାଗଜପତ୍ର ଦୀର୍ଘ ସମୟ ଧରି ଯାଞ୍ଚ କରାଯାଇଥିଲା। ପ୍ରଶାନ୍ତଙ୍କ ପକ୍ଷରୁ ସମସ୍ତ କାଗଜପତ୍ର ଅପରାହ୍ନ ପ୍ରାୟ ୫ଟା ସମୟରେ ନିର୍ବାଚନ ଅଧିକାରୀ ମାଖନଲାଲ ମଜୁମଦାରଙ୍କ ନିକଟରେ ଦାଖଲ ହୋଇଥିଲା। ଦୀର୍ଘ ସମୟର ଆଲୋଚନା ପରେ ପ୍ରଶାନ୍ତଙ୍କ ପ୍ରାର୍ଥିପତ୍ର କାଏମ ରଖାଯାଇଥିଲା ।
ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ପ୍ରଭାତ
ଆଶୀର୍ବାଦଙ୍କ ଗୋଷ୍ଠୀ ପକ୍ଷରୁ ଯୁଗ୍ମ ସମ୍ପାଦକ ପଦବୀ ନିମନ୍ତେ ୨ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଜଣେ ହେଲେ ଝାରସୁଗୁଡ଼ା ଜିଲାର ପ୍ରତିନିଧି ମେହତାବ ଖାଁ ଓ ସୁନ୍ଦରଗଡ଼ ଜିଲାର ପ୍ରତିନିଧି ପ୍ରଭାତ କୁମାର ଭୋଳ। ପ୍ରଭାତ ରବିବାର ପୂର୍ବାହ୍ନରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବୋଲି ଏହି ଗୋଷ୍ଠୀ ଘୋଷଣା କରିଛି। ଯାହା ଫଳରେ ଏବେ ଯୁଗ୍ମ ସମ୍ପାଦକ ପଦବୀରେ ଲଢ଼ିବେ ମେହତାବ ଖାନ । ପ୍ରଦୀପଙ୍କ ଗୋଷ୍ଠୀରୁ ପ୍ରାର୍ଥି ହୋଇଥିବା ଦେବଗଡ଼ ଜିଲାର ପ୍ରତିନିଧି ସୁଜିତ କୁମାର ପ୍ରଧାନଙ୍କ ସହ ମେହତାବଙ୍କ ଲଢ଼େଇ ହେବ।
ଗୋଟିଏ ପଦବୀ ସୁରକ୍ଷିତ
ପ୍ରାର୍ଥିପତ୍ରରେ କୌଣସି ତ୍ରୁଟି ନଥିବା ହେତୁ ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀ କେନ୍ଦ୍ରାପଡ଼ା ଜିଲାର ଶୁଭାଶିଷ ସେନାପତି ନିର୍ଦ୍ୱନ୍ଦରେ ଓସିଏର ଆପେକ୍ସ କାଉନସିଲ ସଦସ୍ୟ ଭାବେ ନିର୍ବାଚିତ ହେବେ । ଏଣୁ ହେବାକୁ ଥିବା ୬ଟି ପଦବୀର ନିର୍ବାଚନ ଭିତରୁ ଏବେ ଗୋଟିଏ ପଦବୀ ସୁରକ୍ଷିତ ହୋଇ ସାରିଛି ବୋଲି କୁହାଯାଇ ପାରିବ। ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ୨ଜଣ ଲେଖାଏ ସାମ୍ନାସାମ୍ନି ହେବେ ।

Share