Categories: ଖେଳ

ଓସିଏ ନିର୍ବାଚନ :ସଭାପତି ପଦବୀରେ ପଙ୍କଜ-ପ୍ରଦୀପ ଲଢ଼େଇ

କଟକ ଅଫିସ,୨୪ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନକୁ ଆଉ ୩ ଦିନ ବାକି । ଗୁପ୍ତରେ ଚାଲିଛି ଅଙ୍କକଷା, ଭୋଟ ବ୍ୟାଙ୍କ ପ୍ରସ୍ତୁତି। ଦୁଇଟି ଗୋଷ୍ଠୀ ଏଥର ନିର୍ବାଚନରେ ଲଢ଼ୁଛନ୍ତି । ଉଭୟ ବିଜୟୀ ହେବାର ଆଶା ବାନ୍ଧିଛନ୍ତି । ଏପରିକି ଯିଏ ବି ବିଜୟୀ ହେବ ଖୁବ କମ୍‌ ଭୋଟ ବ୍ୟବଧାନରେ ଓସିଏ ପଦବୀରେ ବସିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏଭଳି କଡା ଟକ୍କର ରାଜ୍ୟ କ୍ରିକେଟ ସଂଘରେ ଅନେକ ବର୍ଷର ବ୍ୟବଧାନରେ ହେଉଛି । ଏଥର ସଭାପତି ପଦବୀରେ ଲଢ଼ିବେ ପଙ୍କଜ ଲୋଚନ ମହାନ୍ତି ଓ ପ୍ରଦୀପ ଚୌହ୍ବାନ। ଏହି ଦୁଇ ପ୍ରାର୍ଥୀ କାହାଠାରୁ କମ୍‌ ନୁହଁନ୍ତି । ଏହାଛଡ଼ା ଯିଏ ବି ଜିତିବ ସେ ପ୍ରଥମଥର ନିମନ୍ତେ ଓସିଏର ସଭାପତି ହେବ ।
ପଙ୍କଜ ଲୋଚନ ମହାନ୍ତିଙ୍କ ଘର ଭୁବନେଶ୍ୱରରେ। ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା ଗୋଷ୍ଠୀ ସମର୍ଥିତ ପ୍ରାର୍ଥୀ ଭାବେ ସେ ସଭାପତି ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଗୋଟିଏ ଦଶନ୍ଧିର ଅଭିଜ୍ଞତା ରହିଛି । ହେଲେ ଏହା ଭିତରେ ସେ ଅନେକ କ୍ରୀଡ଼ା ସଙ୍ଘର ପ୍ରମୁଖ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ବେସବଲ ଫେଡେରେଶନ ଅଫ ଇଣ୍ଡିଆର ଏକବର୍ଷ ନିମନ୍ତେ ଅସ୍ଥାୟୀ ସଭାପତି ରହିଥିଲେ । ପରେ ନିର୍ବାଚିତ ହୋଇ ବେସବଲ ଜାତୀୟ ସଂଘର ୩ବର୍ଷ ସଭାପତି ହୋଇଥିଲେ। ଓଡ଼ିଶା ବେସବଲ ଆସୋସିଏଶନର ସଭାପତି, ଓଡ଼ିଶା ଅଲିମ୍ପିକ ଆସୋସିଏଶନର ଉପସଭାପତି, ଓଡ଼ିଶା ଆସୋସିଏଶନ ଫର ରୋଇଂ ଆଣ୍ଡ ସ୍କଲିଂର ଉପସଭାପତି ପଦବୀରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି । ବିଜୟୀ ହେଲେ ସେ ତୃଣମୂଳ ସ୍ତରରୁ କ୍ରିକେଟର ବିକାଶ ପାଇଁ ଦୃଷ୍ଟି ଦେବେ ବୋଲି କହିଛନ୍ତି । ଏହାଛଡ଼ା ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି, ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବା । ଅନେକ ବର୍ଷ ହେଲାଣି ଓଡ଼ିଆ ଖେଳାଳି ଜାତୀୟ ଦଳରେ ସ୍ଥାନ ପାଉନାହାନ୍ତି। କେଉଁଠାରେ ସମସ୍ୟା ରହୁଛି ସେ ଦିଗରେ ନଜର ଦିଆଯିବ ବୋଲ ପଙ୍କଜ କହିଥିଲେ । ଗ୍ରାମାଞ୍ଚଳରେ ଭଲ କ୍ରିକେଟ ଖେଳୁଥିବା ପ୍ରତିଭାଙ୍କୁ ସମ୍ମୁଖକୁ ଅଣାଯିବ ବୋଲି ପଙ୍କଜ ପ୍ରତିକ୍ରିୟା ଦେଇ କହିଛନ୍ତି ।
ୟୁନିୟନ ସ୍ପୋର୍ଟିଂ କ୍ଲବର ସମ୍ପାଦକ ହେଲେ କଟକର ପ୍ରଦୀପ ଚୌହ୍ବାନ । ୪୦ବର୍ଷର ପୁରୁଣା ଏହି କ୍ଲବରୁ ସୃଷ୍ଟି ହୋଇଛନ୍ତି ୫୦ରୁ ଅଧିକ ରାଜ୍ୟ ସ୍ତରୀୟ ସିନିୟର ଖେଳାଳି ଓ ୩୦୦ରୁ ଅଧିକ ରାଜ୍ୟସ୍ତରୀୟ ଜୁନିୟର ଖେଳାଳି । ଏହି କ୍ଲବ ପି.ଭି.ଆର ମୂର୍ତ୍ତି ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରି ବେଶ ପ୍ରଶଂସା ସାଉଁଟିଛି । ଏହି ଟୁର୍ନାମେଣ୍ଟର ଫାଇନାଲରେ କିମ୍ବଦନ୍ତୀ କ୍ରିକେଟର ମାନେ ଅତିଥି ହୋଇ ଆସନ୍ତି । କ୍ରିକେଟ ଓ ଓସିଏ ସହିତ ପ୍ରଦୀପଙ୍କ ସମ୍ପର୍କ ନୁଆ ନୁହେଁ । ସେ ପୂର୍ବରୁ ଓସିଏର ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀରେ ମଧ୍ୟ ଥିଲେ । ୨୦୦୪ ମସିହାରେ ଆଶୀର୍ବାଦ ବେହେରା ସମ୍ପାଦକ ଥିବା ବେଳେ ପ୍ରଦୀପ କୋଷାଧ୍ୟକ୍ଷ ଭାବେ ବିଜୟୀ ହୋଇଥିଲେ । ହେଲେ ୨ବର୍ଷ କାର୍ଯ୍ୟ କରିବା ପରେ ଅର୍ଥାତ ୨୦୦୬ରେ ପ୍ରଦୀପଙ୍କୁ ହଠାତ୍‌ କୋଷାଧ୍ୟକ୍ଷ ପଦବୀରୁ ହଟାଇ ଦିଆଯାଇଥିଲା। ଏହିଠାରୁ ହିଁ ପ୍ରଦୀପ-ଆଶୀର୍ବାଦ ବିବାଦ ଆରମ୍ଭ ହୋଇଥିଲା । ସଭାପତିରେ ବିଜୟୀ ହେବାର ଶତପ୍ରତିଶତ ଆଶା ରଖିଛନ୍ତି ପ୍ରଦୀପ । ବିଜୟୀ ହେଲେ ଦଳ ଚୟନ ଉପରେ କଡ଼ା କଟକଣା ଲାଗିବ ବୋଲି ସେ କହିଥିଲେ । ଦଳ ଚୟନରେ ସ୍ବଚ୍ଛତା ରହୁନି । ଏଣୁ ଅନେକ ପ୍ରତିଭା ଲୁଚି ଯାଉଛନ୍ତି । ଏହାଛଡ଼ା ସେ କହିଥିଲେ ଯେ, ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି । ଏବେ ବି ଓଡ଼ିଶାରେ କ୍ରିକେଟ ପାଇଁ ପ୍ରକୃଷ୍ଟ ଭିତ୍ତିଭୂମି ନାହିଁ ବୋଲି ତାଙ୍କ ମତ ।

Share