ଓସ୍କାର ଦୌଡ଼ ପାଇଁ ‘ଗଲିବୟ’ ମନୋନୀତ: ଭାରତର ଶ୍ରେଷ୍ଠ ୨୮ ଚଳଚ୍ଚିତ୍ର ତାଲିକାରେ ‘କଣ୍ଠୋ’

ଭୁବନେଶ୍ୱର, ୨୨।୯ (ବ୍ୟୁରୋ): ଚଳିତବର୍ଷ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ୍‌ ହେବାକୁ ପ୍ରଥମ ପର୍ଯ୍ୟାୟରେ ଭାରତର ୨୮ ଚଳଚ୍ଚିତ୍ରକୁ ବଛାଯାଇଥିଲା। ଏଥିମଧ୍ୟରେ ଅକ୍ଷୟ ପରିଜାଙ୍କ ବେଙ୍ଗଲୀ ଫିଲ୍ମ ‘କଣ୍ଠୋ’ ସ୍ଥାନ ପାଇଥିଲାବେଳେ ବଲିଉଡ୍‌ ଫିଲ୍ମ ‘ଗଲିବୟ’ ଚଳଚ୍ଚିତ୍ର ଓସ୍କାର ପାଇଁ ଚୟନ କରାଯାଇଛି। ଓସ୍କାର ପାଇଁ ୧୯୫୭ରୁ ଚୟନ ପ୍ରକ୍ରିୟା କରାଯାଉଥିଲେ ମଧ୍ୟ ପ୍ରଥମଥର ପାଇଁ ଏଥର ଏହା କଲିକତାଠାରେ ଆୟୋଜିତ ହୋଇଛି। ଏଥିପାଇଁ ସେପ୍ଟେମ୍ବର ୧୮ରୁ ୨୧ ଯାଏ ସ୍କ୍ରିନିଂ ଚାଲିଥିଲା। ବିଶିଷ୍ଟ ଚଳଚ୍ଚିତ୍ର ଲେଖକ ପଦ୍ମନାଭ ଦାସଗୁପ୍ତା, ସମ୍ପାଦକ ସୁଜୟ ଦତ୍ତରାୟ, ସଙ୍ଗୀତ୍‌କାର ଦେବଜ୍ୟୋତି ରାୟ, ନିର୍ଦ୍ଦେଶକ ପ୍ରତୀମ ଡି. ଗୁପ୍ତା ଓ ଅଶୋକ ବିଶ୍ୱନାଥନ ଚୟନ କମିଟିର ସଦସ୍ୟ ରହିଥିବାବେଳେ ଅପର୍ଣ୍ଣା ସେନ ଅଧ୍ୟକ୍ଷ ରହିଛନ୍ତି। ତେବେ ଜୁରୀ ସଦସ୍ୟଙ୍କ ଦ୍ୱାରା ‘କଣ୍ଠୋ’ ବେଶ୍‌ ପ୍ରଶଂସିତ ହୋଇଥିବା ଜଣାପଡ଼ିଛି।

‘କଣ୍ଠୋ’ର ପ୍ରଯୋଜକ ପରିଜା କୁହନ୍ତି, ଓଡିଆ ଚଳଚ୍ଚିତ୍ର ହେଉ କି ବଙ୍ଗଳା ଅବା ହିନ୍ଦୀ, ଆମେ ସବୁବେଳେ ମୂଲ୍ୟବୋଧ ଭିତ୍ତିିକ ଚଳଚ୍ଚିତ୍ର ନିର୍ମାଣ ଉପରେ ଗୁରୁତ୍ୱ ଦେଇଆସିଛୁ। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡିଶାର ଗୌରବ ବଢାଇବା ପାଇଁ ଆମେ ସଦାସର୍ବଦା ପ୍ରୟାସ ଜାରିରଖିଛୁ। ଗତବର୍ଷ ‘କଡ୍‌ୱି ହୱା’ ଏବଂ ଚଳିତ ବର୍ଷ ‘କଣ୍ଠୋ’ ଓସ୍କାର ଦୌଡରେ ସାମିଲ ହେବା ଏକ ସଫଳ ଦୃଷ୍ଟାନ୍ତ। ‘କଣ୍ଠୋ’ ଏ ପ୍ରତିଯୋଗିତାରୁ ବାଦ୍‌ ପଡିଥିଲେ ମଧ୍ୟ ଶ୍ରେଷ୍ଠ ୨୮ ଭାରତୀୟ ଚଳଚ୍ଚିତ୍ର ତାଲିକାରେ ସାମିଲ ହେବା ଆମ ପାଇଁ ବଡ଼ ଉପଲବ୍ଧି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଆକର୍ଷଣୀୟ କଣ୍ଠସ୍ବର ପାଇଁ ସୁପରିଚିତ ଜଣେ ରେଡିଓ ଜକିଙ୍କ କାହାଣୀକୁ ନେଇ ନିର୍ମିତ ହୋଇଛି ‘କଣ୍ଠୋ’। ଆକସ୍ମିକ ଭାବେ ନିଜର କଣ୍ଠସ୍ବର ହରାଇବା ପରେ ଏକ ନିରାଶାମୟ ସମୟକୁ ମୁଖ୍ୟ ଚରିତ୍ର କିଭଳି ସାମ୍ନା କରୁଛନ୍ତି ଓ ଶେଷରେ ନିଜର ଦୃଢଆତ୍ମବିଶ୍ୱାସ ବଳରେ ପରିସ୍ଥିତିକୁ କିପରି ଜିତିପାରୁଛିି ତାହା ଏହି ଫିଲ୍ମରୁ ଜାଣିବାକୁ ମିଳିବ।

Share