ADELAIDE, AUSTRALIA - DECEMBER 06: Shane Warne commentates during day one of the First Test match in the series between Australia and India at Adelaide Oval on December 06, 2018 in Adelaide, Australia. (Photo by Quinn Rooney/Getty Images)
ନୂଆଦିଲ୍ଲୀ,୧।୪(ପି.ଟି.): ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସ୍ପିନର ଶେନ ଓ୍ବର୍ନ ତାଙ୍କର ସର୍ବକାଳୀନ ଭାରତୀୟ ଏକାଦଶ ଘୋଷଣା କରିଛନ୍ତି। ସେ ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଏହି ଦଳର ନେତୃତ୍ୱ ପ୍ରଦାନ କରିଛନ୍ତି। ଏଥିରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ନଭଜୋତ ସିଂ ସିଦ୍ଧୁଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ସାମିଲ କରିଛନ୍ତି।
ତେବେ ସେ ଏହି ଦଳରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଏବେକାର ଅଧିନାୟକ ବିରାଟ କୋହଲିଙ୍କୁ ସାମିଲ କରିନାହାନ୍ତି। ଏହାର ସେ କାରଣ ମଧ୍ୟ ଦର୍ଶାଇଛନ୍ତି। ଯେଉଁ ଭାରତୀୟ ଖେଳାଳିଙ୍କ ବିପକ୍ଷରେ ଖେଳିଛି, କେବଳ ସେହି ଖେଳାଳିଙ୍କ ମଧ୍ୟରୁ ଚୟନ କରି ଏହି ଦଳ ଘୋଷଣା କରିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଧୋନୀ ଜଣେ ମହାନ ଉଇକେଟକିପର ବ୍ୟାଟ୍ସମ୍ୟାନ ଓ ସେହିପରି ସବୁ ଫର୍ମାଟରେ ବିରାଟ କୋହଲି ଶ୍ରେଷ୍ଠ ବୋଲି ଓ୍ବର୍ନ ତାଙ୍କ ଇନ୍ଷ୍ଟ୍ରାଗ୍ରାମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଭିଭିଏସ୍ ଲକ୍ଷ୍ମଣଙ୍କୁ ମଧ୍ୟ ସେ ଏହି ଦଳରେ ସ୍ଥାନ ଦେଇନାହାନ୍ତି। ଉଇକେଟକିପର ଭାବେ ସେ ନୟନ ମୋଙ୍ଗିଆକୁ ଚୟନ କରିଛନ୍ତି। ୧୯୮୩ ବିଶ୍ୱକପ୍ ବିଜୟୀ ଅଧିନାୟକ କପିଳ ଦେବଙ୍କୁ ମଧ୍ୟ ସେ ଚୟନ କରିଛନ୍ତି। ସେ ସ୍ପିନ୍ ଯୋଡି ହରଭଜନ ସିଂ, ଅନିଲ କୁମ୍ବଲେଙ୍କ ସମେତ ଦ୍ରୁତ ବୋଲର ଭାବେ ଜାଭାଗାଲ ଶ୍ରୀନାଥଙ୍କୁ ମଧ୍ୟ ଚୟନ କରିଛନ୍ତି। ବୀରେନ୍ଦ୍ର ସେହ୍ବାଗ ଓ ନଭ୍ଜୋତ ସିଂ ସିଦ୍ଧୁଙ୍କୁ ସେ ଓପନର ଭାବେ ବାଛିଛନ୍ତି। ସେହିପରି ବ୍ୟାଟିଂ ଲାଇନ୍ରେ ରାହୁଲ ଡ୍ରାଭିଡ, ତେନ୍ଦୁଲକର ଓ ମହମ୍ମଦ ଆଝାରୁଦ୍ଦିନଙ୍କୁ ଦଳରେ ସାମିଲ କରିଛନ୍ତି। ଆମ ସମୟରେ ସିଦ୍ଧୁ ସ୍ପିନ୍କୁ ଅତି ଭଲ ଭାବେ ଖେଳନ୍ତି। ତେଣୁ ତାଙ୍କୁ ଦଳରେ ସ୍ଥାନ ଦେଇଛି ବୋଲି ଓ୍ବର୍ନ କହିଛନ୍ତି।
ଓ୍ବର୍ନଙ୍କ ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଏକାଦଶ:
ସୌରଭ ଗାଙ୍ଗୁଲି (ଅଧିନାୟକ), ବୀରେନ୍ଦ୍ର ସେହ୍ବାଗ, ନଭଜୋତ୍ ସିଂ ସିଦ୍ଧୁ, ରାହୁଲ ଡ୍ରାଭିଡ, ସଚିନ ତେନ୍ଦୁଲକର, ମହମ୍ମଦ ଆଝାରୁଦ୍ଦିନ, କପିଳ ଦେବ, ନୟନ ମୋଙ୍ଗିଆ (ଉଇକେଟକିପର), ହରଭଜନ ସିଂ, ଜାଭାଗଲ ଶ୍ରୀନାଥ ଓ ଅନିଲ କୁମ୍ବଲେ।