Categories: ଜାତୀୟ

ଓ୍ବର୍ଲିରୁ ଲଢ଼ିବେ ଆଦିତ୍ୟ

ମୁମ୍ବାଇ,୩୦ା୯: ମହାରାଷ୍ଟ୍ର ବିଧାନସଭା ଲାଗି ଭାଜପା-ଶିବସେନା ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇ ନ ଥିବାବେଳେ ଶିବସେନା ପକ୍ଷରୁ ଟିକେଟ ବଣ୍ଟନ ଆରମ୍ଭ ହୋଇଯାଇଛି। ଦଳର ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ପୁଅ ଆଦିତ୍ୟଙ୍କୁ ମୁମ୍ବାଇର ଓ୍ବର୍ଲି ଆସନରୁ ପ୍ରାର୍ଥୀ କରାଯାଇଛି। ଫଳରେ ନିର୍ବାଚନ ଲଢ଼ିବାରେ ସେ ଠାକ୍‌ରେ ପରିବାରର ପ୍ରଥମ ବ୍ୟକ୍ତି ହେବାକୁ ଯାଉଛନ୍ତି। ରବିବାର ଶିବସେନା ପାଖାପାଖି ୨୦ ଜଣ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରିଛି। ଅକ୍ଟୋବର ୨୧ରେ ମହାରାଷ୍ଟ୍ର ନିର୍ବାଚନ ହେବାକୁ ଯାଉଥିଲା ବେଳେ ଦୁଇଦଳର ନେତୃତ୍ୱ ଆସନ ଭାଗବଣ୍ଟା ନେଇ ଆଲୋଚନା ଜାରି ରଖିଛନ୍ତି। ରବିବାର ନୂଆଦିଲ୍ଲୀରେ ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା। ଶିବସେନା ସହ ଆସନ ବୁଝାମଣା ଖୁବ୍‌ଶୀଘ୍ର ଚୂଡାନ୍ତ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ବୈଠକରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଅଧ୍ୟକ୍ଷତା କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ, ରାଜ୍ୟ ଭାଜପା ସଭାପତି ଚନ୍ଦ୍ରକାନ୍ତ ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ।

Share