Categories: ଜାତୀୟ

ଓ୍ବାଇସିଙ୍କ ମଞ୍ଚରେ ପାକିସ୍ତାନ ଜିନ୍ଦାବାଦ୍‌ ନାରା ଦେଇଥିବା ଯୁବତୀ ଗିରଫ

ବେଙ୍ଗାଲୁରୁ,୨୧।୧: ଏଆଇଏମଆଇଏମ ମୁଖ୍ୟ ତଥା ଏମ୍‌ପି ଅସାଦୁଦ୍ଦିନ ଓ୍ବାଇସିଙ୍କ ସାମ୍ନାରେ ପାକିସ୍ତାନ ଜିନ୍ଦାବାଦ୍‌ ନାରା ଦେଇଥିବା ଯୁବତୀଙ୍କୁ ଗିରଫ କରିଛି ପୋଲିସ। ଅମୁଲ୍ୟା ଲିୟୋନା ନାମକ ଏହି ଯୁବତୀଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରାଯାଇଛି। ତାଙ୍କ ଗିରଫ କରାଯାଇ ଜେଲ୍‌ ପଠାଯାଇଛି। ସୂଚନାଯୋଗ୍ୟ, ବେଙ୍ଗାଲୁରୁରେ ସିଏଏ, ଏନପିଆର ଓ ଏନଆରସି ବିରୋଧରେ ବିକ୍ଷୋଭ ସଭା ଆୟୋଜନ ହୋଇଥିଲା। ତେବେ ଓ୍ବାଇସି ଏହି ସଭାରେ ଯୋଗଦେବାକୁ ମଞ୍ଚ ଉପରେ ଚଢିବା କ୍ଷଣି ସମ୍ପୃକ୍ତ ଯୁବତୀ ଜଣଙ୍କ ତୁରନ୍ତ ମାଇକ ଧରି ପାକିସ୍ତାନ ଜିନ୍ଦାବାଦ ନାରା ଦେବା ଆରମ୍ଭ କରିଦେଇଥିଲେ। ଏହା ଶୁଣି ଓ୍ବାଇସି ଉକ୍ତ ମହିଳାଙ୍କଠାରୁ ମାଇକ ଛଡାଇ ଆଣିବାକୁ ଉଦ୍ୟମ କରିବା ସହ ବିରକ୍ତି ପ୍ରକାଶ କରିଥିଲେ। ହେଲେ ଯୁବତୀ ଜଣଙ୍କ ତାଙ୍କୁ ମାଇକ ଦେଇ ନ ଥିଲେ। ମହିଳା ଜଣଙ୍କ ବାରମ୍ବାର ହିନ୍ଦୁସ୍ତାନ ଜିନ୍ଦାବାଦ ଓ ପାକିସ୍ତାନ ଜିନ୍ଦାବାଦ ନାରା ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଶେଷରେ ପୋଲିସ ମଞ୍ଚରୁ ଯୁବତୀଙ୍କୁ ତଳକୁ ଆଣିଥିଲା।

Share