ଓ୍ବାଟର ପ୍ୟୁରିଫାୟର ଦେବା ଆଳରେ ଦେଢ଼ କୋଟି ଠକେଇ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ହରିୟାଣାର ଏକ ସଂସ୍ଥା ଓ୍ବାଟର ପ୍ୟୁରିଫାୟର ଯୋଗାଇବା ଆଳରେ ପ୍ରାୟ ଦେଢ କୋଟି ଟଙ୍କା ଠକିନେଇ ଫେରାର ହୋଇଯାଇଛି। ପ୍ରାୟ ୩୨୭ ଜଣ ବ୍ୟକ୍ତି ଏହି ଠକାମିର ଶିକାର ହୋଇ ଶୁକ୍ରବାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲ୍ୟୁରେ ଅଭିଯୋଗ ଆଣିଛନ୍ତି। ସୂଚନା ମୁତାବକ, ହରିୟାଣାର ଏଲ୍‌କା ଗ୍ରୋଥ ଇଣ୍ଡିଆ ନାମକ ସଂସ୍ଥା କୋରିଆରୁ ଓ୍ବାଟର ପ୍ୟୁରିଫାୟର ଆଣି ବ୍ୟବସାୟ କରୁଥିଲା। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଏହି ସଂସ୍ଥା ଏକ ଶାଖା ଅଫିସ ଖୋଲିଥିଲା। ଏଠାରେ ୩ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ୩୩ହଜାର ଟଙ୍କାରୁ ସାଢେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ଡିଜାଇନର ମେଶିିନ ବିକ୍ରି କରୁଥିଲେ। ବ୍ୟବସାୟରେ ଉନ୍ନତି ପାଇଁ ହରିୟାଣାସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ଏମ୍‌ଡି ସନ୍ଦୀପ କୁମାର ଲକ୍ଷ୍ମୀସାଗର ଅଫିସ କର୍ମଚାରୀଙ୍କ ସହ ଯୋଗାଯୋଗରେ ରହୁଥିଲେ। ୨୦୧୮ ଅକ୍ଟୋବର ୨ରେ ଏହି ସଂସ୍ଥା ପକ୍ଷରୁ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ହୋଟେରେ ମିଟିଂ କରାଯାଇଥିଲା। ଡାଇବେଟିସ ଏବଂ କ୍ୟାନ୍‌ସର ରୋଗୀଙ୍କ ପାଇଁ ଉକ୍ତ ଓ୍ବାଟର ପ୍ୟୁରିଫାୟର ବହୁତ ଦରକାରୀ ବୋଲି କୁହାଯାଇଥିଲା। ଏଥିରେ ଯୋଗଦେଇଥିବା ଲୋକଙ୍କୁ ପ୍ୟୁରିଫାୟର କିଣିବାକୁ ପ୍ରଲୋଭିତ କରାଯାଇଥିଲା। ଏହାପରେ ଲୋକେ ଆକୃଷ୍ଟ ହୋଇ ଟଙ୍କା ଜମା କରିବା ଆରମ୍ଭ କରିଥିଲେ। ପ୍ରାୟ ୩୨୭ ଜଣ ବ୍ୟକ୍ତିି ଟଙ୍କା ଜମା କରିଥିଲେ। ମାତ୍ର କିଛିଦିନ ପରେ ଲକ୍ଷ୍ମୀସାଗରସ୍ଥିତ ଉକ୍ତ ସଂସ୍ଥା ଲୋକମାନଙ୍କୁ ମେଶିିନ ଯୋଗାଇବା ପରିବର୍ତ୍ତେ ଅଫିସରେ ତାଲା ଝୁଲାଇ ଫେରାର ହୋଇଯାଇଥିଲା।

Share