Categories: ଜାତୀୟ

ଓ୍ବାରିସ ପଠାନଙ୍କ ଉପରେ କଟକଣା ଲଗାଇଲେ ଓ୍ବାଇସି

ନୂଆଦିଲ୍ଲୀ,୨୧।୨: ଅଲ୍‌ ଇଣ୍ଡିଆ ମଜଲିସ୍‌-ଇ-ଇତେହାଦୁଲ ମୁସ୍ଲିମିନ୍‌(ଏଆଇଏମ୍‌ଆଇଏମ) ନେତା ଓ୍ବାରିସ ପଠାନଙ୍କ ଉପରେ ଶୁକ୍ରବାର କଟକଣା ଲଗାଇଛନ୍ତି ଦଳର ସୁପ୍ରିମୋ ଅସାଦୁଦ୍ଦିନ ଓ୍ବାଇସି। ପଠାନ ଗଣମାଧ୍ୟମ ବା ସାର୍ବଜନୀନ ଭାବରେ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ନାଗରିକତା ସଂଶୋଧିତ ଆଇନକୁ ବିରୋଧ କରି କର୍ନାଟକର ଗୁଲବର୍ଗାରେ ଜନସଭାରେ ଯୋଗଦେଇ ଏଆଇଏମ୍‌ଆଇଏମ୍‌ ନେତା ଓ୍ବାରିସ ପଠାନ ନିକଟରେ କହିଥିଲେ, ଆମେ ଇଟାର ଜବାବ ଦେବା ଶିଖିଯାଇଛୁ। ଆମେ ସବୁ ଯଦି ଏକାଠି ହେବୁ ୧୫ କୋଟି ମୁସଲମାନ ଲୋକ ୧୦୦ କୋଟି ଲୋକଙ୍କ ଉପରେ ଭାରି ପଡିବୁ। ତାଙ୍କର ଏହି ବିବାଦୀୟ ମନ୍ତବ୍ୟକୁ ନେଇ ଚାରିଆଡେ ସମାଲୋଚନା କରାଯାଇଥିଲା। ଫଳରେ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ଆଗାମୀ ନିର୍ଦ୍ଦେଶ ଯାଏ ଓ୍ବାରିସଙ୍କ ବିରୋଧରେ ଏହି ଅଙ୍କୁଶ ବଳବତ୍ତର ରହିବ ବୋଲି ଏଆଇଏମଆଇଏମ ପକ୍ଷରୁ କୁହାଯାଇଛି।

Share