Categories: ଜାତୀୟ

ଓ୍ବାରେଣ୍ଟ ଜାରିର ୭ ଦିନ ପରେ ଦିଆଯାଉ ଫାଶୀ

ନୂଆଦିଲ୍ଲୀ,୨୩ା୧: ରିଭ୍ୟୁ ପିଟିଶନ, କ୍ୟୁରେଟିଭ୍‌ ପିଟିଶନ ଏବଂ ରାଜକ୍ଷମା ଆବେଦନ ଆଳରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ସମୟ ଗଡ଼ିଚାଲିଥିବାବେଳେ ଏନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ମୃତ୍ୟୁଦଣ୍ଡ ପାଇଥିବା ଅପରାଧୀଙ୍କୁ ତୁରନ୍ତ ଫାଶୀ ଦେବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀ କ୍ଷମା ଆବେଦନ କରିବାକୁ ୭ ଦିନ ସମୟସୀମା ଧାର୍ଯ୍ୟ କରାଯାଉ। ରାଷ୍ଟ୍ରପତି କ୍ଷମା ଆବେଦନ ଖାରଜ କରିବାର ୭ ଦିନ ମଧ୍ୟରେ ମୃତ୍ୟୁଦଣ୍ଡ ଓ୍ବାରେଣ୍ଟ ଜାରି କରିବା ଏବଂ ଏହାର ୭ ଦିନ ମଧ୍ୟରେ ଫାଶୀ ଦେବା ଲାଗି ସର୍ବୋଚ୍ଚ ଅଦାଲତ ସମସ୍ତ କୋର୍ଟ ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେବାକୁ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ମୃତ୍ୟୁଦଣ୍ଡାଦେଶ ମାମଲାରେ ରିଭ୍ୟୁ ପିଟିଶନ ଓ କ୍ୟୁରେଟିଭ୍‌ ପିଟିଶନ ଦାଏର ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହେବା ଆବଶ୍ୟକ ବୋଲି କେନ୍ଦ୍ର କହିଛି। ୨୦୧୪ରେ ଶତ୍ରୁଘନ ଚୌହାନ ମାମଲାର ରାୟକୁ ସଂଶୋଧନ କରିବାକୁ କେନ୍ଦ୍ର ଅନୁରୋଧ କରିଛି। ଉକ୍ତ ମାମଲାରେ କ୍ଷମା ଆବେଦନ ବର୍ଷ ବର୍ଷ ଧରି ସ୍ଥଗିତ ରହିଥିଲା। ଏଭଳି ଅପେକ୍ଷା ଅପରାଧୀମାନଙ୍କ ପ୍ରତି ନିର୍ଯାତନା ବୋଲି ସରକାର କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଅପରାଧୀମାନଙ୍କ ଅଧିକାରର ସୁରକ୍ଷା କରିବା ସହିତ ପୀଡ଼ିତା ଓ ସେମାନଙ୍କ ପରିବାର ତଥା ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା ପାଇଁ ମଧ୍ୟ ନିୟମ ପ୍ରଣୟନ ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ ଓ ସମୟର ଆବଶ୍ୟକତା। ନଚେତ୍‌ ଜଘନ୍ୟ ଅପରାଧ ମାମଲାରେ ଦୋଷୀସାବ୍ୟସ୍ତ ବ୍ୟକ୍ତିଙ୍କୁ ଆଇନ ସହ ଖେଳିବା ଓ ଦଣ୍ଡ ସମୟ ଗଡ଼ାଇବା ଲାଗି ସୁଯୋଗ ମିଳିଯିବ ବୋଲି ସରକାର କହିଛନ୍ତି।

Share