ଓ୍ବାର୍କ ଫ୍ରମ୍‌ ହୋମ୍‌ ଚାକିରି ଲାଗି ଅଧିକ ଲୋକ ସର୍ଚ୍ଚ କରୁଛନ୍ତି

ନୂଆଦିଲ୍ଲୀ,୨୪।୫: କରୋନା ଯୋଗୁ ସାରା ଦେଶ ଲକ୍‌ଡାଉନ ହେବା ପରେ ବର୍ତ୍ତମାନ ଲୋକଙ୍କୁ ଘରୁ କାମ(ଓ୍ବାର୍କ ଫ୍ରମ୍‌ ହୋମ୍‌) କରିବାକୁ ପଡୁଛି। ଅସୁବିଧା ପାଇଁ ଏଭଳି କରିବାକୁ ପଡୁଥିବା ବେଳେ ଏହା ଧୀରେ ଧୀରେ ଟ୍ରେଣ୍ଡରେ ପରିବର୍ତ୍ତନ ହେବା ଭଳି ଦେଖାଗଲାଣି। ବର୍ତ୍ତମାନ ସ୍ଥିତିରେ ସୁଧାର ଆସୁ ନ ଥିବା ଯୋଗୁ ଲୋକଙ୍କୁ ଅଧିକ ସମୟ ଯାଏ ଘରୁ ହିଁ କାମ କରିବାକୁ ପଡିବ। ପ୍ରମୁଖ ଆଇଟି ସେବା ଯୋଗାଉଥିବା କମ୍ପାନୀଗୁଡିକ ଲୋକଙ୍କୁ ଘରୁ କାମ କରିବା ଲାଗି ସୁବିଧା ପ୍ରଦାନ କରିଛନ୍ତି। ଏହାଦ୍ୱାରା ବୁଝାପଡୁଛି ଯେ, ମହାମାରୀ ଲୋକଙ୍କ କାମ କରିବା ତରିକାକୁ ପରିବର୍ତ୍ତନ କରିଛି। ଏଭଳି ସ୍ଥିତିରେ ଏକ ରୋଚକ ରିପୋର୍ଟ ସାମ୍ନାକୁ ଆସିଛି। ଦୂରରେ ରହି ଅଫିସ କାମ ବା ରିମୋଟ୍‌ ଓ୍ବାର୍କ ସମ୍ପର୍କିତ ଚାକିରି ଲାଗି ଫେବୃୟାରୀରୁ ମେ ମଧ୍ୟ ସର୍ଚ୍ଚିଂ ପ୍ରାୟ ୩୭୭% ବଢିଛି। ରିମୋଟ୍‌ କାମ କରିବା ଲାଗି ଅଧିକ ପସନ୍ଦ କରୁଥିବା ଦେଖାଯାଇଛି। ଜବ୍‌ ସାଇଟ ଇଣ୍ଡିଡ୍‌ ରିପୋର୍ଟ ମୁତାବକ ସର୍ଚ୍ଚ ସମୟରେ ଲୋକମାନେ ରିମୋଟ୍‌, ଓ୍ବାର୍କଫ୍ରମ୍‌ ହୋମ୍‌ ଏଭଳି ଅନ୍ୟ ଶବ୍ଦଗୁଡିକ ବ୍ୟବହାର କରୁଥିବା ଦେଖାଯାଉଛି। ଓ୍ବାର୍କ ଫ୍ରମ୍‌ ହୋମ୍‌ ଲାଗି ନିଯୁକ୍ତିରେ ଏହି ସମୟରେ ୧୬୮% ବୃଦ୍ଧି ହୋଇଥିବା ଜଣାପଡିଛି। ଇଣ୍ଡିଡ ଇଣ୍ଡିଆ ଏମ୍‌ଡି ଶଶୀ କୁମାର କହିଛନ୍ତି ଯେ, ରିମୋଟ୍‌ କାର୍ଯ୍ୟ ଏବେ ବଢୁଥିବା ବେଳେ ଏହି ଧାରା ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଚାକିରି ଖୋଜୁଥିବା ୮୩% ଲୋକ ରିମୋଟ୍‌ ଓ୍ବାର୍କ ନୀତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରୁଛନ୍ତି। ୫୩% କର୍ମଚାରୀଙ୍କ କହିବା କଥା ହେଲା, ଯଦି ତାଙ୍କୁ ରିମୋଟ୍‌ କାର୍ଯ୍ୟ ଲାଗି ଅନୁମତି ମିଳେ ତେବେ ବେତନରେ ହ୍ରାସ ନେଇ ମଧ୍ୟ କୌଣସି ଆପତ୍ତି ନାହିଁ।

Share