ଓ୍ବାର୍ଡ ରାସ୍ତାରେ ଆବର୍ଜନା ପାଣି

ଭୁବନ,୧୫ା୧୦ (ଡି.ଏନ.ଏ)

ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୯ ଓ ୧୦ ନମ୍ବର ୱାର୍ଡ ମଧ୍ୟରେ ଯାଇଥିବା ମୁଖ୍ୟ ରାସ୍ତା ଉପରେ ଆବର୍ଜନା ପାଣି ମାଡୁଛି। ଏହା ଜମି ରହି ଦୁର୍ଗନ୍ଧ ହେଉଥିବାରୁ ଓ୍ବାର୍ଡବାସୀ ହଇରାଣ ହେଉଛନ୍ତି। ଦୀର୍ଘ ୩ ମାସ ହେଲା ଏପରି ପଚାଶଢା ପାଣି ଜମୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ଏହି ରାସ୍ତାଟି ଭୁବନ ଏନ୍‌ଏସିର ପ୍ରମୁଖ ରାସ୍ତା। ଭୁବନ ଅଞ୍ଚଳରେ ପାଳନ କରାଯାଉଥିବା ସମସ୍ତ ପର୍ବପର୍ବାଣୀ ଓ ଭସାଣି ଉତ୍ସବ ଏହି ରାସ୍ତା ଦେଇ କରାଯାଇଥାଏ ା ହେଲେ ୩ ମାସ ପୂର୍ବରୁ ଅଧା ଡ୍ରେନ୍‌ ନିର୍ମାଣ କରାଯାଇଥିବାବେଳେ ଆଉ ପ୍ରାୟ ୧୫ ମିଟର ଡ୍ରେନ୍‌ ନିର୍ମାଣକୁ କେତେଜଣ ବ୍ୟକ୍ତି ବିରୋଧ କରିଛନ୍ତି ା ଡ୍ରେନ୍‌ଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିବାରୁ ଆବର୍ଜନା ପାଣି ରାସ୍ତା ଉପରେ ବୋହୁଛି। ଏ ନେଇ ଏନ୍‌ଏସି କର୍ତ୍ତୃପକ୍ଷ, ତହସିଲଦାର, ଥାନା ଅଧିକାରୀ, ଉପଜିଲାପାଳ ଓ ଜିଲାପାଳଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସୋମବାର ୱାର୍ଡବାସୀଙ୍କ ପକ୍ଷରୁ ଏକ ବୈଠକ ବସିଥିଲା। ୭ ଦିନ ମଧ୍ୟରେ ଏହାର ସମାଧାନ କରା ନ ଗଲେ ଏନଏସି କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରାଯିବ ବୋଲି ବୈଠକରେ ଉପସ୍ଥିତ ଯୁଗଳ ପୃଷ୍ଟି, ସତ୍ୟାନନ୍ଦ ପୃଷ୍ଟି, ରମେଶ ପୃଷ୍ଟି, କୋଦଣ୍ଡଧର ସାହୁ, ରମେଶ ଚନ୍ଦ୍ର ମହାରଣା ପ୍ରମୁଖ ଚେତାବନୀ ଦେଇଛନ୍ତି। ଭୁବନ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ଏ ସଂକ୍ରାନ୍ତରେ କୁହନ୍ତି, ଅଭିଯୋଗ ପାଇଛୁ ା ଶୀଘ୍ର ଏହାର ସମାଧାନ କରାଯିବ।

Share