ଓ୍ବାର୍ଡ ସଭ୍ୟାଙ୍କୁ ମାଡ଼ ମାରିବା ଘଟଣା: କାର୍ଯ୍ୟାନୁଷ୍ଠାନ ନ ହେବା ପ୍ରତିବାଦରେ ବ୍ଲକ ସମ୍ମୁଖରେ ଧାରଣା

ପଟ୍ଟାମୁଣ୍ଡାଇ,୧୮ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଖାରୁଣି ପଞ୍ଚାୟତର ୧ ନମ୍ବର ଓ୍ବାର୍ଡସଭ୍ୟା ପଦ୍ମାବତୀ ମଳିକଙ୍କୁ ସରପଞ୍ଚଙ୍କ ସ୍ବାମୀ ପ୍ରଶାନ୍ତ ମଳିକ ମେ’ ୨୯ରେ ମାଡ଼ ମାରିଥିଲେ । ଏଥିନେଇ ପଦ୍ମାବତୀ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଥିଲେ। ସେହିପରି ଜନୈକା ବୃଦ୍ଧା ହତ୍ୟା ଉଦ୍ୟମର ଶିକାର ହୋଇ ଥାନାରେ ଏତଲା ଦେଇଥିଲେ। ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପ୍ରତିବାଦରେ କେନ୍ଦ୍ରାପଡ଼ା ଏସ୍‌ପି, ସହକାରୀ ଏସ୍‌ପି ଓ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓଙ୍କୁ ଭେଟି ଜଣାଇଥିଲେ। କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ରାପଡ଼ା ଏସ୍‌ପି ନିତିଶେଖର ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ରାକେଶ ତ୍ରିପାଠୀଙ୍କୁ ଜଣାଇଥିଲେ। ମାତ୍ର ଆଇଆଇସି ତ୍ରିପାଠୀ କୌଣସି ପଦକ୍ଷେପ ଗ୍ରହଣ ନ କରିବା ପ୍ରତିବାଦରେ ୨୫ ଜଣ ମହିଳା ଓ ପୁରୁଷ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମୁଖରେ ଗୁରୁବାର ଗଣଧାରଣାରେ ବସିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ ଭାରପ୍ରାପ୍ତ ଭରତ ଚନ୍ଦ୍ର ପରିଡ଼ା ଧାରଣାକାରୀଙ୍କୁ ଏ ସମ୍ପର୍କରେ ପଚାରି ବୁଝିବା ସହିତ ଜିଲାପାଳଙ୍କୁ ଜଣାଇଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଧାରଣାରେ ବସିଥିବା ଲୋକଙ୍କ ନିକଟକୁ ପୋଲିସ ଆସି ନ ଥିବା ଜଣାପଡ଼ିଛି।

Share