ଓ୍ବାର୍ନରଙ୍କ ବ୍ୟାଟ୍‌ରେ ସେନ୍‌ସର

ଲଣ୍ଡନ,୯ା୬(ପି.ଟି.): ଅଷ୍ଟ୍ରେଲିଆ ଓପନର ଡେଭିଡ୍‌ ଓ୍ବାର୍ନର ବିଶ୍ୱକପ୍‌ରେ ଘାତକ ବୋଲରଙ୍କ ସମ୍ମୁଖୀନ ହେବା ପାଇଁ ବ୍ୟାଟ୍‌ରେ ଏକ ନୂଆ ଯନ୍ତ୍ରର ବ୍ୟବହାର କରିଛନ୍ତି। ସେ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବୁର ବ୍ୟାଟ୍‌ରେ ସେନ୍‌ସର ଲଗାଇ ଅଭ୍ୟାସ କରିଥିଲେ। ଏହି ସେନ୍‌ସରରେ ବ୍ୟାଟ୍‌ର ବ୍ୟାକଲିଫ୍ଟ କୋଣ ଓ ସର୍ବାଧିକ ଗତ ଭଳି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଷ୍ଟୋର ହୋଇପାରିବ। ଏହି ଯନ୍ତ୍ରର ବ୍ୟବହାରକୁ ୨୦୧୭ରେ ଆଇସିସି ସ୍ବୀକୃତି ଦେଇଥିଲା। ହେଲେ ଏପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ଖେଳାଳି ଏହାକୁ ବ୍ୟବହାର କରି ନ ଥିଲେ। ବେଙ୍ଗାଲୁରୁସ୍ଥିତ ଏକ କମ୍ପାନୀ କ୍ରିକେଟରଙ୍କ ପାଇଁ ‘ବ୍ୟାଟ୍‌ ସେନ୍ସ’ ନାମକ ଚିପ୍‌ ନିର୍ମାଣ କରିଥିଲେ। ଏହାକୁ ବ୍ୟାଟର ହ୍ୟାଣ୍ଡେଲ ଉପରେ ଲଗାଯାଏ। ଯେତେବେଳ ପର୍ଯ୍ୟନ୍ତ ଜଣେ ବ୍ୟାଟ୍ସମ୍ୟାନ ଏହାକୁ ବ୍ୟବହାର କରି ବ୍ୟାଟିଂ କରୁଛନ୍ତି, ସେ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ମୋବାଇଲ ‘କ୍ଲାଉଡ୍‌ ଷ୍ଟୋରେଜ’ ଆପରେ ଷ୍ଟୋର ହୁଏ। ଏହାକୁ ବ୍ୟବହାର କରି ଓ୍ବାର୍ନର ନିଜ ବ୍ୟାଟିଂ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି, ଯାହାକି ତାଙ୍କୁ ଯଶପ୍ରୀତ୍‌ ବୁମରାଙ୍କ ଭଳି ବୋଲରଙ୍କୁ ଆଟାକ୍‌ କରିବାରେ ସହାୟକ ହେବ। ତେବେ ସେ ଏହି ଚିପକୁ ମ୍ୟାଚ୍‌ବେଳେ ବ୍ୟବହାର କରିବେ କି ନାହିଁ ଜଣାନାହିଁ ବୋଲି ଆଇସିସି ସହ ଜଡ଼ିତ ଥିବା କମ୍ପାନୀ ମୁଖ୍ୟ ଅତୁଲ ଶ୍ରୀବାସ୍ତବ କହିଛନ୍ତି। ସୂଚନାଥାଉ କି, ଏପର୍ଯ୍ୟନ୍ତ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଏହି ଉପକରଣ ବ୍ୟବହାର କରିନାହାନ୍ତି।

Share