Categories: ଖେଳ

ଓ୍ବାର୍ନରଙ୍କ ରେକର୍ଡ

ନଟିଂହାମ, ୨୨।୬- ଆଇସିସି ବିଶ୍ୱକପ୍‌ରେ ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୪୮ ରନରେ ବାଂଲାଦେଶକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଓପନର ବ୍ୟାଟ୍ସମ୍ୟାନ ଡେଭିଡ୍‌ ଓ୍ବାର୍ନର ୧୪୭ ବଲରୁ ୧୬୬ ରନର ମାରାଥନ ଇନିଂସ ଖେଳି ଅଷ୍ଟ୍ରେଲିଆ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଶତକ ସହ ଓ୍ବାର୍ନର ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ବିଶ୍ୱକପ୍‌ ଇତିହାସରେ ଗୋଟିଏ ଇନିଂସରେ ୨ଥର ଦେଶଶହରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏଥିପୂର୍ବରୁ ସେ ୨୦୧୫ ବିଶ୍ୱକପ୍‌ରେ ଆଫଗାନିସ୍ତାନ ବିପକ୍ଷରେ ୧୬୪ ବଲରୁ ୧୭୮ ରନର ଶତକୀୟ ଇନିଂସ ଖେଳିଥିଲେ। ସେହିଭଳି ଏହି ଇନିଂସ ଅବସରରେ ଉସମାନ ଖ୍ବାଜା (୮୯ ରନ)ଙ୍କ ସହ ଓ୍ବାର୍ନର ଦ୍ୱିତୀୟ ଉଇକେଟ୍‌ ଯୋଡ଼ିରେ ୧୪୨ ବଲରୁ ୧୯୨ ରନର ଭାଗୀଦାରି କରିଥିଲେ। ବାଂଲାଦେଶ ବିପକ୍ଷ କୌଣସି ଦିନିକିଆ ମ୍ୟାଚ୍‌ର ଯେ କୌଣସି ଉଇକେଟ୍‌ରେ ଅଷ୍ଟ୍ରେଲିଆ ପାଇଁ ଏହା ସର୍ବଶ୍ରେଷ୍ଠ ଭାଗୀଦାରି ସାବ୍ୟସ୍ତ ହୋଇଛି। ଏହି ଦୁଇଦେଶ ମଧ୍ୟରେ ମୋଟ୍‌ ଉପରେ ୨୨ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିବାବେଳେ ଶେଷ ୮ ବର୍ଷ ମଧ୍ୟରେ ଏହା ୪ର୍ଥ ମ୍ୟାଚ୍‌ ଥିଲା। ପୂର୍ବରୁ ୨୦୧୭ ଚାମ୍ପିୟନ୍ସ ଟ୍ରଫି ଓ ୨୦୧୫ ବିଶ୍ୱକପ୍‌ରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ ମଧ୍ୟ ଖରାପ ପାଗ ଯୋଗୁ ମ୍ୟାଚ୍‌ ବାତିଲ ହୋଇଥିଲା।

Share