Categories: ଖେଳ

ଓ୍ବାର୍ନର ସନରାଇଜର୍ସ ହାଇଦ୍ରାବାଦ ଦଳର ଅଧିନାୟକ

ମୁମ୍ବାଇ,୨୭ା୨- ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱରେ ପରିବର୍ତ୍ତନ କରିଛି। ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲୟମସନଙ୍କୁ ହଟାଇ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ପୁଣି ଥରେ ଦଳର ଅଧିନାୟକ ଦାୟିତ୍ୱ ଦେଇଛି। ତାଙ୍କ ନେତୃତ୍ୱରେ ଦଳ ୨୦୧୬ ସଂସ୍କରଣରେ ଆଇପିଏଲ ଚାମ୍ପିୟନ ହୋଇଥିଲା। ବଲ ଟାମ୍ପରିଂ ପାଇଁ ବାସନ୍ଦ ହେବାରୁ ସେ ୨୦୧୮ ସିଜନରେ ଖେଳିପାରି ନ ଥିଲେ। ସେ ଗତବର୍ଷ ଆଇପିଏଲକୁ ଫେରିଥିଲେ। କିନ୍ତୁ ଓ୍ବିଲିୟମସନ ଦଳର ପ୍ରଥମ ପସନ୍ଦ ଅଧିନାୟକ ଥିଲେ। ଭୁବନେଶ୍ୱର କୁମାର ଉପଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ଆଇପିଏଲ ୨୦୨୦ ପାଇଁ ମୋତେ ଅଧିନାୟକ ହେବାର ଗୁରୁଦାୟିତ୍ୱ ମିଳିଥିବାରୁ ମୁଁ ଉତ୍ସାହିତ। ପୁଣି ଥରେ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି। ଗତ ଦୁଇ ବର୍ଷ ହେଲା ଦଳକୁ ସମ୍ଭାଳୁଥିବାରୁ ଭୁବି ଓ ଓ୍ବିଲିୟମସନଙ୍କୁ ଧନ୍ୟବାଦ ଦେଉଛି। ଚଳିତବର୍ଷ ଆଇପିଏଲ ଟ୍ରଫି ହାତେଇବା ଲାଗି ମୁଁ ଯଥା ସାମର୍ଥ୍ୟ ଉଦ୍ୟମ କରିବି ବୋଲି ଓ୍ବାର୍ନର କହିଛନ୍ତି। ଫ୍ରାଞ୍ଚାଇଜ ସହ ୨୦୧୪ରେ ଯୋଡ଼ିହେବା ପରଠାରୁ ଓ୍ବାର୍ନର ଭଲ ପ୍ରଦର୍ଶନ କରିଆସୁଛନ୍ତି। ସେବେଠାରୁ ବାମହାତୀ ଅଷ୍ଟ୍ରେଲିଆନ ଓପନର ୨୦୧୫, ୨୦୧୭ ଓ ୨୦୧୯ରେ ଅରେଞ୍ଜ କ୍ୟାପ ଅଧିକାର କରିଛନ୍ତି। ସେ ୧୨୬ ମ୍ୟାଚ୍‌ ଖେଳି ୪୭୦୬ ରନ୍‌ ସହ ଆଇପିଏଲରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ବିରାଟ କୋହଲି, ସୁରେଶ ରାଇନା ଓ ରୋହିତ ଶର୍ମା ଟପ୍‌ ୩ରେ ରହିଛନ୍ତି। ସନରାଇଜର୍ସ ଦଳ ଏପ୍ରିଲ ୧ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ଆଇପିଏଲ ଅଭିଯାନ ଆରମ୍ଭ କରିବ।

Share