Categories: ଖେଳ

ଓ୍ବାର୍ମଅପ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଅଷ୍ଟ୍ରେଲିଆ

ସାଉଥମ୍ପଟନ୍‌, ୨୩।୫(ପି.ଟି.)- ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବାକୁ ଆଉ ଗୋଟିଏ ସପ୍ତାହରୁ କମ୍‌ ସମୟ ବାକିଥିବାବେଳେ ବୁଧବାର ଏଠାରେ ଅନୁଷ୍ଠିତ ଏକ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୭ ଉଇକେଟ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ ୪୯.୨ ଓଭରରେ ୨୨୯ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଓ୍ବେଷ୍ଟଇଣ୍ଡିଜ ଏକଦା ୬ ଉଇକେଟ୍‌ ହରାଇ ୧୦୪ ରନ କରିଥିଲା। କିନ୍ତୁ କାର୍ଲୋସ ବାର୍ଥଓ୍ବେଟ୍‌ (୬୦ ରନ) ଓ ସୁନୀଲ ଆମ୍ବ୍ରିସ (୩୭) ଶେଷ ଭାଗରେ ଉପଯୋଗୀ ଇନିଂସ ଖେଳି ଦଳର ସମ୍ମାନ ରକ୍ଷା କରିଥିଲେ। ଓପନର୍‌ ଏଭିନ ଲୁଇସ ୫୦ ରନ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ ମ୍ୟାକ୍ସଓ୍ବେଲ ଓ ମିଚେଲ୍‌ ଷ୍ଟାର୍କ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୩୮.୨ ଓଭରରେ ୩ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଷ୍ଟିଭ ସ୍ମିଥ୍‌ ସର୍ବାଧିକ ୭୬ ରନ କରିଥିବାବେଳେ ଶନ୍‌ ମାର୍ଶ (୫୫), ଅଧିନାୟକ ଆରୋନ ଫିଞ୍ଚ୍‌ (୪୨) ଦଳକୁ ଜିତାଇବାରେ ସହାୟକ ହୋଇଥିଲେ। ତେବେ ଓପର୍‌ ଉସମାନ ଖ୍ବାଜା ୫ ରନ କରି ବ୍ୟାଟିଂ କରୁଥିବାବେଳେ ୨ୟ ଓଭରରେ ଆନ୍ଦ୍ରେ ରସେଲଙ୍କ ଏକ ବାଉନ୍ସର ତାଙ୍କ ମୁଣ୍ଡରେ ବାଜିଥିଲା। ଫଳରେ ସେ ରିଟାୟର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିଥିଲେ।

Share