Categories: ଖେଳ

ଓ୍ବାଲିନ୍‌ଙ୍କୁ ହରାଇଲେ ଫ୍ୟୁରି

ଲାସ୍‌ ଭେଗାସ, ୧୫ା୯ (ଏପି)- ଜଜ୍‌ମାନଙ୍କ ସର୍ବସମ୍ମତି ନିଷ୍ପତ୍ତି ଭିତ୍ତିରେ ସ୍ବିଡେନ୍‌ର ଓଟୋ ଓ୍ବାଲିନ୍‌ଙ୍କ ବିପକ୍ଷ ବକ୍ସିଂ ମୁକାବିଲାରେ ବିଜୟ ଲାଭ କରିଛନ୍ତି ବ୍ରିଟିଶ ବକ୍ସର ଟାଇସନ ଫ୍ୟୁରୀ। ଏଥିସହିତ ସେ ଲାଇନଲ ହେଭିଓ୍ବେଟ୍‌ ଟାଇଟଲ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି। ଏହି ବାଉଟ୍‌ ବେଳେ ସେ ତାଙ୍କ ଡାହାଣ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ଫେବୃୟାରୀ ୨୨ରେ ଡେନ୍‌ଟଏ ଓ୍ବାଇଲ୍ଡର ବିପକ୍ଷ ହେଭିଓ୍ବେଟ୍‌ ରି-ମ୍ୟାଚ ଆୟୋଜନରେ ବିଳମ୍ବ ଘଟିପାରେ। ତାଙ୍କ ପ୍ରମୋଟର ଫ୍ରାଙ୍କ ଓ୍ବାରେନ ସୂଚନା ଦେଇଛନ୍ତି। ଆଖିରେ ଗୁରୁତର କ୍ଷତ ସତ୍ତ୍ୱେ ୩୧ ବର୍ଷୀୟ ଫ୍ୟୁରୀ ଲଢିଥିଲେ। ଶେଷରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଫ୍ୟୁରୀ ଯଦି ଶୀଘ୍ର ସୁସ୍ଥ ହୁଅନ୍ତି ତେବେ ରି-ମ୍ୟାଚ ନିର୍ଦ୍ଧାରିତ ଦିନ ହେବ ବୋଲି ଓ୍ବାରେନ ପ୍ରକାଶ କରିଛନ୍ତି। ଫାଇଟ୍‌ ସମୟରେ ଫ୍ୟୁରୀ ୩୦-୧ରେ ଫେଭରାଇଟ୍‌ ଥିଲେ। ତୃତୀୟ ରାଉଣ୍ଡରେ ଅଧିକ କ୍ଷତାକ୍ତ ହେବାରୁ ବାଉଟ୍‌ରୁ ସେ ଓହରିଯିବା ସମ୍ଭାବନା ଦେଖା ଦେଇଥିଲା। ମାତ୍ର ମୁହଁ ରକ୍ତାକ୍ତ ଦେଖାଯାଉଥିଲେ ମଧ୍ୟ ଫ୍ୟୁରୀ ତାଙ୍କ ଲଢେଇ ଜାରି ରଖିଥିଲେ। ଶେଷରେ ୩ଜଣ ରିଙ୍ଗ୍‌ସାଇଡ୍‌ ଜଜ୍‌ ୧୧୮-୧୧୦, ୧୧୭-୧୧୧ ଏବଂ ୧୧୬-୧୧୨ ସ୍କୋରରେ ଫ୍ୟୁରୀଙ୍କୁ ବିଜୟୀ ଘୋଷଣା କରିଥିଲେ। ବାଉଟ୍‌ ପରେ ଓ୍ବାଲିନ କହିଛନ୍ତି ମୁକାବିଲା ଜିତିବା ଲାଗି ମୁଁ ସମସ୍ତ ପ୍ରକାର ଚେଷ୍ଟା କରି ମଧ୍ୟ ବିଫଳ ହେଲି। ପ୍ରକୃତରେ ଫ୍ୟୁରି ଜଣେ ମହାନ ଫାଇଟର। ଅନ୍ୟପକ୍ଷରେ ଫ୍ୟୁରି କହିଛନ୍ତି, ଦୃଢ ସଂକଳ୍ପ ଯୋଗୁ ଗୁରୁତର ଆହତ ସତ୍ତ୍ୱେ ମୁଁ ବିଜୟ ଲାଭ କରିପାରିଲି।

Share