ଓ୍ବାଶିଂଟନରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା

ଓ୍ବାଶିଂଟନ/ନୂଆଦିଲ୍ଲୀ,୫ା୬(ପି.ଟି.)ଆମେରିକାର ଓ୍ବାଶିଂଟନସ୍ଥିତ ଭାରତୀୟ ଦୂତାବାସ ବାହାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କେତେଜଣ ଅଜଣା ଦୁର୍ବୃତ୍ତ ଭଙ୍ଗାରୁଜା କରିବା ସହ ସେଥିରେ ରଙ୍ଗ ସ୍ପ୍ରେ କରିଛନ୍ତି। ଦୂତାବାସ ପକ୍ଷରୁ ଏନେଇ ସ୍ଥାନୀୟ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ନିକଟରେ ଅଭିଯୋଗ କରାଯାଇଛି। କୃଷ୍ଣକାୟ ଜର୍ଜ ଫ୍ଲୋଏଡଙ୍କୁ ପୋଲିସ ହାଜତରେ ହତ୍ୟା ଘଟଣାକୁ ନେଇ ଆମେରିକାରେ ସପ୍ତାହେ ହେଲା ହିଂସାତ୍ମକ ପ୍ରତିବାଦ ଲାଗିରହିଥିବାବେଳେ ଶାନ୍ତିର ଦେବଦୂତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ୨ ତାରିଖ ରାତିରେ ଭଙ୍ଗାଯାଇଛି। ଏ ସମ୍ପର୍କରେ ଭାରତୀୟ ଦୂତାବାସ ଆମେରିକା ପରରାଷ୍ଟ୍ର ବିଭାଗକୁ ଜଣାଇଦେଇଛି। ମେଟ୍ରୋପଲିଟାନ ପୋଲିସ ଟିମ୍‌ ସହ କୂଟନୈତିକ ସୁରକ୍ଷା ସେବା ଏବଂ ନ୍ୟାଶନାଲ ପାର୍କ ପୋଲିସ ଘଟଣାସ୍ଥଳ ଅନୁଧ୍ୟାନ କରି ତଦନ୍ତ ଚଳାଇଛି। ଏହି ଘଟଣା ପାଇଁ ଭାରତରେ ଥିବା ଆମେରିକା ରାଷ୍ଟ୍ରଦୂତ କେନ୍‌ ଜଷ୍ଟର ଗୁରୁବାର କ୍ଷମା ମାଗିଛନ୍ତି।

Share