Categories: ଖେଳ

ଓ୍ବାସିମ ଜାଫରଙ୍କୁ ନୂଆ ଦାୟିତ୍ୱ

କୋଲକାତା/ମୁମ୍ବାଇ, ୧୭|୫ (ପି.ଟି.)- ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବିି) ପୂର୍ବତନ ଭାରତୀୟ ଓପନର ଓ୍ବାସିମ୍‌ ଜାଫରଙ୍କୁ ମୀରପୁରସ୍ଥିତ ଏହାର ଏକାଡେମୀରେ ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛି। ବିସିବିର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି। ଜାଫରଙ୍କ ସହିତ ୧ ବର୍ଷିଆ ଚୁକ୍ତି କରାଯାଇଛି। ସେ ଚଳିତ ମେ ମାସରୁ ୨୦୨୦ ଏପ୍ରିଲ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ। ଜାଫର ପ୍ରଥମେ ଏକାଡେମୀର ଗେମ୍‌ ଡେଭଲପମେଣ୍ଟ ୟୁନିଟ୍‌ରେ କାର୍ଯ୍ୟ କରିବେ। ୧୬ବର୍ଷରୁ କମ୍‌ ଏବଂ ୧୯ ବର୍ଷରୁ କମ୍‌ ବୟସ ବର୍ଗ ଦଳ ଦାୟିତ୍ୱରେ ରହିବେ। ପରେ ତାଙ୍କୁ ବିସିବି ହାଇପର୍ଫମାନ୍ସ ୟୁନିଟ୍‌ (ଏନସିଏ ସମକକ୍ଷ) ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇପାରେ ବୋଲି ବିସିବି ଗେମ୍‌ ଡେଭଲପମେଣ୍ଟ ମ୍ୟାନେଜର କେସାର ଅହମ୍ମଦ ପ୍ରକାଶ କରିଛନ୍ତି। ୪୧ ବର୍ଷୀୟ ଜାଫର ବିଦର୍ଭ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବା ପୂର୍ବରୁ ୧୯ଟି ସିଜନ ମୁମ୍ବାଇ ପକ୍ଷରୁ ଖେଳିଛନ୍ତି। ତାଙ୍କ ତତ୍ତ୍ୱାବଧାନରେ ବିଦର୍ଭ କ୍ରମାଗତ ଦୁଇଥର ରଣଜୀ ଟ୍ରଫି ଟାଇଟଲ ଜିତିପାରିଛି। ଜାଫର ଭାରତ ପାଇଁ ୩୧ ଟେଷ୍ଟ ମ୍ୟାଚ ଖେଳି ୧,୯୪୪ ରନ କରିଛନ୍ତି। ତାଙ୍କର ସର୍ବୋଚ୍ଚ ସ୍କୋର ୨୧୨ ରହିଛି। ସେ ଆହୁରି ମଧ୍ୟ ଦୁଇଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଛନ୍ତି।

Share