Categories: ବାଣିଜ୍ୟ

ଓ୍ବିପ୍ରୋରେ ଅଜିମ ପ୍ରେମଜୀଙ୍କ ଯୁଗର ଅବସାନ

ନୂଆଦିଲ୍ଲୀ,୭-୬: ଦେଶର ସର୍ବବୃହତ ଦାନବୀର କୁହାଯାଉଥିବା ଅଜିମ ପ୍ରେମଜୀ ଦୀର୍ଘ ୫୩ ବର୍ଷ ଧରି ଓ୍ବିପ୍ରୋର ମୁଖ୍ୟ ଭାବେ ଦାୟିତ୍ୱ ସମ୍ଭାଳିବା ପରେ ଶେଷରେ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ସେ ଆସନ୍ତା ଜୁଲାଇ ୩୦ରେ ନିଜ ପଦରୁ ଅବସର ନେବେ। କମ୍ପାନୀ ପକ୍ଷରୁ ଷ୍ଟକ୍‌ ଏକ୍ସଚେଞ୍ଜକୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଅଜିମ ପ୍ରେମଜୀଙ୍କ ଅବସର ପରେ ତାଙ୍କ ପୁଅ ରିଶଦ ପ୍ରେମଜୀଙ୍କୁ ଆସନ୍ତା ୫ ବର୍ଷ ଲାଗି ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ତଥା ଏକ୍‌ଜିକ୍ୟୁଟିଭ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି। ଅର୍ଥାତ ଅଜିମ କମ୍ପାନୀର ଦାୟିତ୍ୱ ପୁଅ ହାତରେ ସମର୍ପି ଦେଇଛନ୍ତି। ଫୋବର୍‌ସ ତାଲିକାର ୩୮ତମ ସ୍ଥାନରେ ଥିବା ଅଜିମ ପ୍ରେମଜୀଙ୍କ ମୋଟ ସମ୍ପତ୍ତିର ପରିମାଣ ୫୧୦ କୋଟି ଡଲାର। ଆର୍ଥିକ ବର୍ଷ ୨୦୧୮ରେ ସେ ଭାରତର ଦ୍ୱିତୀୟ ବିଲିୟନେୟାର ଭାବେ ପରିଗଣିତ ହୋଇଛନ୍ତି। ପ୍ରଥମ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ରହିଛନ୍ତି। ଅଜିମ ଓ୍ବିପ୍ରୋ ଲିମିଟେଡର ୩୪% ଶେୟାର ପରୋପକାର ଲାଗି ଦାନ କରିଦେଇଛନ୍ତି। ଏହାର ମୂଲ୍ୟ ୫୨,୭୫୦ କୋଟି ଟଙ୍କା ରହିଛି। ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, କମ୍ପାନୀ ସହିତ ତାଙ୍କର ଲମ୍ବା ଯାତ୍ରା ହୋଇଛି। ଆଗାମୀ ଦିନରେ ସେ ସକ୍ରିୟ ରୂପରେ ସମାଜସେବା କରିବେ। ତାଙ୍କ ପୁଅଙ୍କ କାର୍ଯ୍ୟ ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ରହିଥିବା ପ୍ରେମଜୀ ଦର୍ଶାଇଛନ୍ତି।

Share