Categories: ଖେଳ

ଓ୍ବେଷ୍ଟଇଣ୍ଡିଜକୁ ଜରିମାନା

କଲମ୍ବୋ,୨୩ା୨- ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଧିମା ବୋଲିଂ ହାର ପାଇଁ ଓ୍ବେଷ୍ଟଇଣ୍ଡିଜ ଦଳର ଖେଳାଳିଙ୍କୁ ଜରିମାନା କରାଯାଇଛି। କିରନ ପୋଲାର୍ଡଙ୍କ ନେତୃତ୍ୱାଧୀନ ଦଳ ଧାର୍ଯ୍ୟ ସମୟ ସୁଦ୍ଧା ୨ ଓଭର କମ୍‌ ବୋଲିଂ କରିଥିଲେ। ଏଥିନେଇ ଦଳର ସମସ୍ତ ଖେଳାଳିଙ୍କ ମ୍ୟାଚ୍‌ ଫିର ୪୦ ପ୍ରତିଶତ କାଟ୍‌ କରାଯିବ। ମ୍ୟାଚ୍‌ ରେଫରି ଜାଭଗଲ ଶ୍ରୀନାଥଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡାଦେଶକୁ ପୋଲାର୍ଡ ସ୍ବୀକାର କରି ନେଇଛନ୍ତି। ଏଣୁ କୌଣସି ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ନାହିଁ। ଉଲ୍ଲେଖଯୋଗ୍ୟ, ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଧାର୍ଯ୍ୟ ୨୯୦ ରନ୍‌ର ବିଜୟଲକ୍ଷ୍ୟକୁ ଶ୍ରୀଲଙ୍କା ୪୯.୧ ଓଭରରେ ହାସଲ କରିନେଇଥିଲା। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ୨୬ ତାରିଖରେ ଖେଳାଯିବ।

Share