Categories: ଖେଳ

ଓ୍ବେଷ୍ଟଇଣ୍ଡିଜର ସର୍ବବୃହତ୍‌ ଦିନିକିଆ ଚେଜ୍‌

ଡବ୍‌ଲିନ୍‌, ୧୨।୫- ଏଠାରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ସିରିଜରେ ଶନିବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ୫ ଉଇକେଟ୍‌ରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଏହି ହାଇସ୍କୋରିଂ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ୍‌ ହରାଇ ୩୨୭ ରନ କରିଥିଲା। ଦଳ ପକ୍ଷରୁ ଆଣ୍ଡ୍ରିଉ ବଲ୍‌ବିମ୍‌ ୧୩୫ ରନ (୧୨୪ ବଲ, ୧୧ ଚୌକା, ୪ ଛକା) ଶତକୀୟ ଇନିଂସ ଖେଳିଥିବାବେଳେ ପଲ୍‌ ଷ୍ଟ୍ରିଲିଂ (୭୭) ଓ କେଭିନ ଓ’ବ୍ରାଇନ (୬୩) ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଶାନନ ଗ୍ରାବିଏଲ୍‌ ୨ ଉଇକେଟ୍‌ ନେଇଥିଲେ। ଜବାବରେ ଓ୍ବେଷ୍ଟଇଣ୍ଡିଜ ଓପନର୍‌ ସୁନୀଲ ଆମ୍ବ୍ରିସ (୧୪୮ ରନ, ୧୨୬ ବଲ)ଙ୍କ ଦମ୍‌ଦାର ଶତକ ବଳରେ ୪୭.୫ ଓଭରରେ ୫ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଦଳ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ସାଇ ହୋପ୍‌ ୩୦, ଡାରେନ ବ୍ରାଭୋ ୧୭, ରୋଷ୍ଟନ ଚେଜ ୪୬, ଜୋନାଥନ କାର୍ଟର ୪୩* ଓ ଅଧିନାୟକ ଜାସନ ହୋଲ୍ଡର ୩୬ ରନ କରିଥିଲେ। ଆୟର୍ଲାଣ୍ଡ ପକ୍ଷରୁ ବୋଡି ରାନ୍‌କିନଙ୍କୁ ସର୍ବାଧିକ ୩ଟି ଉଇକେଟ୍‌ ମିଳିଥିଲା। ମ୍ୟାଚ୍‌ ବିଜୟୀ ଇନିଂସ ଲାଗି ସୁନୀଲଙ୍କୁ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏଥିସହ ଓ୍ବେଷ୍ଟଇଣ୍ଡିଜ ଏହାର ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌ କରିବାର କିର୍ତ୍ତୀମାନ ଲାଭ କରିଛି। ଟୁର୍ନାମେଣ୍ଟରେ ଓ୍ବେଷ୍ଟଇଣ୍ଡିଜର ଏହା ୨ୟ ବିଜୟ ଥିଲା। ଦଳ ଏଥିପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୧୯୬ ରନରେ ପରାସ୍ତ କରିଥିଲା। ଓ୍ବେଷ୍ଟଇଣ୍ଡିଜ ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ସୋମବାର ବାଂଲାଦେଶକୁ ଭେଟିବ। ତେବେ ଏଥିପୂର୍ବରୁ ଜାସନ ହୋଲ୍ଡରଙ୍କ ନେତୃତ୍ୱାଧିନ ଓ୍ବେଷ୍ଟଇଣ୍ଡିଜ ଦଳ ଫାଇନାଲରେ ପ୍ରବେଶ କରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।

Share