Categories: ଖେଳ

ଓ୍ବେଷ୍ଟଇଣ୍ଡିଜ-ଏ’କୁ ଭଲ ସ୍ଥିତି ଦେଲେ ହୋଡ୍‌ଗେ, ବ୍ରୁକ୍ସ

ପୋର୍ଟ ଅଫ୍‌ ସ୍ପେନ, ୧।୮ (ପି.ଟି.)- ଭ୍ରମଣକାରୀ ଭାରତ-ଏ ବିପକ୍ଷରେ ସ୍ଥାନୀୟ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିବସ ଶେଷ ସୁଦ୍ଧା ଓ୍ବେଷ୍ଟଇଣ୍ଡିଜ-ଏ ଦୃଢ଼ ଆରମ୍ଭ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ-ଏ ପ୍ରଥମ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୫ ଉଇକେଟ୍‌ ହରାଇ ୨୪୩ ରନ୍‌ ସଂଗ୍ରହ କରିଛି। ଦୁଇ ଓପନର୍‌ ଅଧିନାୟକ କ୍ରେଗ୍‌ ବ୍ରାଥଓ୍ବେଟ୍‌ (୩୬) ଓ ମୋଣ୍ଟସିନ ହୋଡଗେ (୬୫) ପ୍ରଥମ ଉଇକେଟ୍‌ ଯୋଡ଼ିରେ ୮୭ ରନ୍‌ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ। କିନ୍ତୁ ମୁମ୍ବାଇ ଦ୍ରୁତ ବୋଲର ସନ୍ଦୀପ ଓ୍ବାରିୟର ବ୍ରାଥ୍‌ଓ୍ବେଟ୍‌ଙ୍କୁ ଆଉଟ୍‌ କରି ଏହି ଯୋଡ଼ି ଭାଙ୍ଗିଥିଲେ। ଏହାପରେ ଶାମର ବ୍ରୁକ୍ସ (୫୩) ଓ ହୋଡ୍‌ଗେ ଯୋଡ଼ି ୨ୟ ଉଇକେଟ୍‌ରେ ୬୨ ରନ୍‌ ସଂଗ୍ରହ କରିଥିଲେ। ଦଳୀୟ ସ୍କୋର ୧୪୯ ରନ୍‌ ହୋଇଥିବାବେଳେ ହୋଡ୍‌ଗେଙ୍କୁ କ୍ଲିନ୍‌ ବୋଲ୍ଡ କରି ମହମ୍ମଦ ସିରାଜ ଭାରତକୁ ୨ୟ ବ୍ରେକ୍‌ ଥ୍ରୁ ଦେଇଥିଲେ। ବ୍ରୁକ୍ସ ମଧ୍ୟ ଅର୍ଦ୍ଧଶତକ ହାସଲ କରି ଶିବମ ଦୁବେଙ୍କୁ ରିଟର୍ନ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଖେଳ ଶେଷ ବେଳକୁ ଉଇକେଟ୍‌କିପର ଶେନ୍‌ ଡାର୍‌ଓ୍ବିଚ ୨୪ ଓ ରେମନ ରିଫର୍‌ ୨୭ ରନ କରି ଅପରାଜିତ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁନୀଲ ଆମ୍ବ୍ରିସ ୧୨ ଓ ଜର୍ମାଇନ ବ୍ଲାକଉଡ୍‌ ୨୦ ରନ କରି ଆଉଟ୍‌ ହୋଇଥିଲେ। ଭ୍ରମଣକାରୀ ଭାରତ-ଏ ପକ୍ଷରୁ ସିରାଜ, ସନ୍ଦୀପ, ଦୁବେ, ମୟଙ୍କ ମାର୍କଣ୍ଡେ ଓ କ୍ରିଷ୍ଣାପ୍ପା ଗୌଥମ ପ୍ରତ୍ୟେକ ଗୋଟିଏ ଉଇକେଟ୍‌ ନେଇଥିଲେ। ପୂର୍ବରୁ ପ୍ରଥମ ମ୍ୟାଚ୍‌ ଜିତି ଭାରତ-ଏ ୩ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି।

Share