ମାଞ୍ଚେଷ୍ଟର,୨୮।୬(ପିଟି)- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତୀୟ ଓପନର ରୋହିତ ଶର୍ମା ବିବାଦୀୟ ଢଙ୍ଗରେ ଉଇକେଟ ପଛରେ କ୍ୟାଚ୍ ଆଉଟ୍ ହୋଇଥିଲେ। କିନ୍ତୁ ସେ ନଟ୍ଆଉଟ୍ ଥିଲେ ବୋଲି ଟୁଇଟର ଜରିଆରେ ସୂଚନା ଦେଇଛନ୍ତି। ଆଉଟ୍ ହେବା ବେଳର ଏକ ଫଟୋ ମଧ୍ୟ ଅପଲୋଡ କରିଛନ୍ତି, ଯେଉଁଥିରେ ବଲ ଓ ବ୍ୟାଟ୍ ମଧ୍ୟରେ ବଡ଼ ବ୍ୟବଧାନ ଥିବା ଦେଖାଯାଉଛି। ଏହି ଫଟୋରେ ବଲ ବ୍ୟାଟ୍ ପରିବର୍ତ୍ତେ ରୋହିତଙ୍କ ଡାହାଣ ପ୍ୟାଡରେ ଲାଗିଥିଲା। ଅମ୍ପାୟର ଆଉଟ୍ ଦେବା ପରେ ରୋହିତ ଅସନ୍ତୁଷ୍ଟ ଜଣାପଡ଼ିଥିଲେ। କେମାର ରୋଚଙ୍କ ସୁଇଂ ବଲ ରୋହିତଙ୍କ ପ୍ୟାଡରେ ବାଜି ଉଇକେଟକିପର ସାଇ ହୋପଙ୍କ ହାତକୁ ଚାଲିଯାଇଥିଲା। ପ୍ରାରମ୍ଭିକ ଭାବେ ଫିଲ୍ଡ ଅମ୍ପାୟର ରିଚାର୍ଡ ଇଲିଂଓ୍ବର୍ଥ ନଟଆଉଟ୍ ଦେଇଥିଲେ। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ରିଭ୍ୟୁ ନେଇଥିଲେ। ଏହାପରେ ସ୍ନିକୋ ମିଟରରେ ବଲ ଓ ବ୍ୟାଟ୍ ମଧ୍ୟରେ ଗ୍ୟାପ ଥିବା ଜଣାପଡ଼ିଥିଲା। ହେଲେ ୩ୟ ଅମ୍ପାୟର ମାଇକେଲ ଗଫ ଏହାକୁ ଆଉଟ୍ ଦେଇଥିଲେ।