ଓ୍ବେସ୍କୋ ଡିଭିଜନ ଅଫିସ ସମ୍ମୁଖରେ ଗଣଧାରଣା

ସୁନ୍ଦରଗଡ,୧୭।୧୨(ଡି.ଏନ୍‌.ଏ.): ବେଆଇନ ନିଯୁକ୍ତି ବନ୍ଦ କରିବା, କାର୍ଯ୍ୟରତ କର୍ମଚାରୀଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପଦୋନ୍ନତି ଓ ଅନ୍ୟାନ୍ୟ ୫ ଦଫା ଦାବି ନେଇ ଓଡିଶା ରାଜ୍ୟ କର୍ମଚାରୀ ସଂଘ ରାଉରକେଲା-ସୁନ୍ଦରଗଡ ଶାଖା ତରଫରୁ ସୋମବାର ସ୍ଥାନୀୟ ଓ୍ବେସ୍କୋ ଡିଭିଜନ ଅଫିସ ସମ୍ମୁଖରେ ବିଦ୍ୟୁତ୍‌ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା ଆରମ୍ଭ କରିଛନ୍ତି। ସଂଘର ସଭାପତି ରଜନୀକାନ୍ତ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରଗଡ ଡିଭିଜନ ଶାଖାର ଜୋନାଲ ସଂପାଦକ ବିଜୟ କୁମାର ପ୍ରଧାନଙ୍କ ନେତୃତ୍ୱରେ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଏହି ଗଣଧାରଣାରେ ସାମିଲ ହୋଇଛନ୍ତି। ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କାର୍ଯ୍ୟରତ କର୍ମଚାରୀମାନଙ୍କୁ କୌଣସି ସୁରକ୍ଷା ସାମଗ୍ରୀ ପ୍ରଦାନ କରା ନ ଯିବା ଯୋଗୁ କର୍ମଚାରୀମାନେ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏଣୁ କର୍ମଚାରୀମାନଙ୍କୁ ସୁରକ୍ଷା ସାମଗ୍ରୀ ପ୍ରଦାନ କରାଯାଉ। ସିକ୍ୟୁରିଟି ଏଜେନ୍ସିର ସମସ୍ତ ବେଆଇନ୍‌ ନିଯୁକ୍ତି ବନ୍ଦ କରାଯାଉ। ସମସ୍ତ ବିଦ୍ୟୁତ୍‌ ସେକ୍ସନରେ ଡ୍ୟୁଟି ଚାର୍ଟ ପ୍ରଦାନ କରାଯାଉ। ଦୀର୍ଘ ଦିନରୁ ପଦୋନ୍ନତିରୁ ବଞ୍ଚିତ ବିଦ୍ୟୁତ କର୍ମଚାରୀମାନଙ୍କୁ ପଦୋନ୍ନତି ଦିଆଯାଉ। ଏହାସହ ଅସାଧୁ ଉପାୟରେ ହେଉଥିବା ନିଯୁକ୍ତିକୁ ବନ୍ଦ କରିବା ଆଦି ଦାବି କରାଯାଇଛି । ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଗଣଧାରଣା ଚାଲୁ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।