ଓୟୁଏଟିରେ କୁକୁଡ଼ା ମରା ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୨୮।୧(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ସ୍ପଷ୍ଟ ହେବା ପରେ ଆତଙ୍କ ଖେଳିଯାଇଛି। ମଙ୍ଗଳବାର ସେଠାରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। ୧୨ ତ୍ୱରିତ କାର୍ଯ୍ୟକାରୀ ଦଳ ଏହି କୁକୁଡ଼ା ମରା ଅଭିଯାନରେ ସାମିଲ ହୋଇଛନ୍ତି। ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ୧ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଓ ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳ ମଧ୍ୟରେ ଥିବା ସମସ୍ତ କୁକୁଡ଼ାଙ୍କୁ ମରାଯାଇ ଗଭୀର ଗାତରେ ପୋତି ଦିଆଯିବ। ମାଟି ଘୋଡ଼ାଇବା ପୂର୍ବରୁ ସେଥିରେ ଚୂନ ଓ ବ୍ଲିଚିଂ ପାଉଡର ପରି ବିଶୋଧକ ପ୍ରୟୋଗ କରାଯିବ। ସଂକ୍ରମିତ ଅଞ୍ଚଳର ରାସ୍ତାଘାଟ ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନକୁ ମଧ୍ୟ ବ୍ଲିଚିଂ ପାଉଡର ଦ୍ୱାରା ବିଶୋଧନ କରାଯିବାର ବ୍ୟବସ୍ଥା ହୋଇଛି। କୁକୁଡ଼ାମରା ଅଭିଯାନ ଓ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ୧୨ ତ୍ୱରିତ କାର୍ଯ୍ୟକାରୀ ଦଳ (ରାପିଡ ରେସ୍ପନ୍ସ ଟିମ) ନିଯୁକ୍ତ କରାଯାଇଛି। ଏଥିମଧ୍ୟରୁ ୭ ଟିମକୁ କୁକୁଡ଼ା ମରା ଓ ପୋତିବା ଦାୟିତ୍ୱ ଦିଆଯାଇଛି। ସେମାନେ ଓୟୁଏଟି କୁକୁଡ଼ା ଫାର୍ମର କୁକୁଡ଼ା ମାରିବା ସହିତ ୧ କି.ମି. ବ୍ୟାସର୍ଦ୍ଧ ଅଞ୍ଚଳରେ ରହିଥିବା ମାଂସ ଦୋକାନ ଏବଂ ଅନ୍ୟାନ୍ୟ ଫାର୍ମରେ ଥିବା କୁକୁଡ଼ାଙ୍କୁ ମାରି ପୋତିବେ। ଏଥିସହିତ ଘର ଘର ବୁଲି ପାଳିତ କୁକୁଡ଼ାକୁ ମାରିବା ବ୍ୟବସ୍ଥା କରିବେ। ସେହିପରି ୫ ଟିମ ନିରୀକ୍ଷଣ ଅଞ୍ଚଳରେ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହି ଟିମକୁଡ଼ିକ ନିୟମିତ ବ୍ୟବଧାନରେ ସନ୍ଦିଗ୍ଧ କୁକୁଡ଼ାଙ୍କଠାରୁ ରକ୍ତ, ଲାଳ ଓ ମଳ ଆଦି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାର ବ୍ୟବସ୍ଥା କରିବେ।

Share