Categories: ମେଟ୍ରୋ

ଓୟୁଏଟିରେ ସମୀକ୍ଷା ବୈଠକ: ଜଳବାୟୁକୁ ସୁହାଇଲା ଭଳି ବିହନ ସୃଷ୍ଟି କର

ଭୁବନେଶ୍ୱର,୧।୮(ବ୍ୟୁରୋ): ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ଯୋଗୁ କୃଷି କାର୍ଯ୍ୟରେ ମଧ୍ୟ ତଦ୍‌ନୁଯାୟୀ ପରିବର୍ତ୍ତନ ଆଣିବା ଆବଶ୍ୟକ। ଗବେଷଣା ଦ୍ବାରା ନୂଆ କିସମର ବିହନ ସୃଷ୍ଟି କରିବା ଓ ଏହାକୁ ବ୍ୟବହାର କରିବା ଦିଗରେ କୃଷକମାନଙ୍କୁ ପ୍ରବର୍ତ୍ତାଇବାର ଆବଶ୍ୟକ ରହିଛି। ଜଳବାୟୁକୁ ଖାପଖୁଆଇବା ଭଳି ବିହନ ଓ କମ୍‌ ଦିନରେ ଅମଳ ହୋଇପାରୁଥିବା ବିହନ ସୃଷ୍ଟି କରିବାକୁ ପଡ଼ିବ ବୋଲି କୃଷି ଓ କୃଷକ ସଶକ୍ତୀକରଣ ତଥା ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବୁଧବାର ସମୀକ୍ଷା ବୈଠକ ଓ ଅଧ୍ୟାପିକା ଅଧ୍ୟାପକମାନଙ୍କ ସହିତ ମତବିନିମୟ କରିବା ଅବସରରେ ମନ୍ତ୍ରୀ ଏହା କହିଛନ୍ତି। କୃଷି କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟିର ସୁଯୋଗ ରହିଛି। ଯୁବପିଢ଼ି ଏହାର ସଦୁପଯୋଗ କଲେ ରାଜ୍ୟରେ ଅଧିକରୁ ଅଧିକ କୃଷି ଉଦ୍ୟୋଗୀ ସୃଷ୍ଟି ହୋଇପାରିବେ ଏବଂ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ। ୨୦୦୦ ମସିହାଠାରୁ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ବହୁଗୁଣା ବୃଦ୍ଧି ପାଇଛି। ତେବେ ବଜାର ଚାହିଦାକୁ ଲକ୍ଷ୍ୟ କରି ଅଧିକ ପନିପରିବା, ଦୁଗ୍ଧ ଏବଂ ଅଣ୍ଡା ଉତ୍ପାଦନ କରିବାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ମନ୍ତ୍ରକୁ ଆଧାର କରି ନିଷ୍ଠାର ସହିତ କାର୍ଯ୍ୟ କଲେ ବିଶ୍ବବିଦ୍ୟାଳୟ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରାରମ୍ଭରେ ବିଶ୍ବବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରଓ୍ବାଲ ବିଶ୍ବବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କହିବା ସହ ରାଜ୍ୟରେ କୃଷିର ବିକାଶରେ ବିଶ୍ବବିଦ୍ୟାଳୟର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ। କୃଷି ଓ ଖାଦ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ଏମ୍‌. ମୁଥୁ କୁମାର ବିଭିନ୍ନ ପରାମର୍ଶ ଦେଇଥିଲେ।

Share