ଓୟୁଏଟିର ହେବ ବିକାଶ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ବିକାଶ ହେବ। ଏଥିପାଇଁ ଗତ ୧୭ତାରିଖରେ କୃଷି ଭବନଠାରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ହଷ୍ଟେଲର ଭିତ୍ତିଭୂମି, ନୂତନ ହଷ୍ଟେଲ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ଉପରେ ବୈଠକରେ ଆଲୋଚନା ହୋଇଥିଲା। କ୍ୟାମ୍ପସ ଭିତରେ ଅତିରିକ୍ତ ୧୦୦୦ ସିଟ୍‌ର ଏକ ହଷ୍ଟେଲ ନିର୍ମାଣ ହେବ। ଖାଲି ଜାଗା ଥିଲେ ଏକ ସ୍ପୋର୍ଟସ କମ୍ପ୍ଲେକ୍ସ ହେବ। ଓୟୁଏଟି, ଡିଏସ୍‌ଡବ୍ଲ୍ୟୁଓ ଏବଂ ଡିପିଏନ୍‌ଇ ନୋଡାଲ ଅଫିସର ତଥା ଭୁବନେଶ୍ୱର(ଆର୍‌ଆଣ୍ଡବି) ଡିଭିଜନ-୫ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ଶିଶିର ମିଶ୍ରଙ୍କ ନେତୃତ୍ୱରେ ପିଡବ୍ଲ୍ୟୁଡିର ଏକ ଟେକ୍ନିକାଲ ଟିମ୍‌ ହଷ୍ଟେଲ କାମର ତଦାରଖ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ‘୫-ଟି’ ସଚିବ ଭି. କେ. ପାଣ୍ଡିଆନ ଗତ ୧୭ତାରିଖ ସକାଳେ ଓୟୁଏଟିକୁ ଅଚାନକ ଗସ୍ତ କରିଥିଲେ। ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ, ଲାବରେଟୋରି, ଖେଳପଡ଼ିଆ ସମେତ ଛାତ୍ରୀଛାତ୍ରଙ୍କ ହଷ୍ଟେଲ୍‌ ବୁଲି ଦେଖିବା ସହ ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ। ଓୟୁଏଟି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ ଏବଂ ଏହାର ବିକାଶ ଲାଗି ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସମ୍ପୃକ୍ତ ଅଧିକାରୀ ଏବଂ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ।

Share