Categories: ଗଞ୍ଜାମ

ଓୟୁଏଟି ପ୍ରବେଶିକା ପରୀକ୍ଷାରେ ଅବହେଳା ଅଭିଯୋଗ: ଖରାରେ ଛିଡ଼ା ହେବାରୁ ଅଭିଭାବକ-କର୍ତ୍ତୃପକ୍ଷ ମୁହାଁମୁହିିଁ

ବ୍ରହ୍ମପୁର ଅଫିସ,୨୦ା୫-ଗୋପାଳପୁର ରୋଡ ତଥା ଡୁରା ନିକଟସ୍ଥ ବ୍ରହ୍ମପୁର ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ବିଏସ୍‌ଇଟି)ରେ ରବିବାର ଉତ୍ତେଜନା ଦେଖାଦେଇଛି। ବିଏସ୍‌ଇଟିରେ ଓୟୁଏଟି ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କୁ ଦୀର୍ଘ ସମୟ ଧରି ଖରାରେ ଛିଡା କରାଯିବାକୁ ନେଇ ଅଭିଭାବକ ଓ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମୁହାଁମୁହିିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ କିଛି ସମୟ ଧରି ଅଭିଭାବକ ଓ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ପରୀକ୍ଷାର୍ଥୀଙ୍କୁ ହଲ ମଧ୍ୟକୁ ଛଡା ଯିବାରୁ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି।

କହିବା ପ୍ରକାରେ, ରବିବାର ଗୋପାଳପୁର ରୋଡ ତଥା ଡୁରା ସ୍ଥିତ ବିଏସ୍‌ଇଟି କଲେଜରେ ଓୟୁଏଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ଦେବାକୁ ସକାଳୁ ବିଭିନ୍ନ ସ୍ଥାନରୁ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ସେଠାରେ ପହଞ୍ଚିଥିଲେ। ପୂର୍ବାହ୍ନ ୯.୩୦ରେ ପରୀକ୍ଷା କେନ୍ଦ୍ର ମୁଖ୍ୟ ଫାଟକରେ ପରୀକ୍ଷାର୍ଥୀଙ୍କୁ ଏଣ୍ଟ୍ରି କରାଯାଇଥିଲା। କିନ୍ତୁ ହଲ ମଧ୍ୟକୁ ସେମାନଙ୍କୁ ପ୍ରବେଶ କରା ନ ଯିବାରୁ ସେମାନେ କ୍ୟାମ୍ପସ ପରିସରରେ ଖରାରେ ସିଝିଥିଲେ।ତେବେ ଖରାଯୋଗୁ ପରୀକ୍ଷାର୍ଥୀଙ୍କୁ ହଲ ମଧ୍ୟକୁ ଛାଡିବାକୁ ଅଭିଭାବକମାନେ ଅନୁରୋଧ କରିଥିବା ବେଳେ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ। ଫଳରେ ଅଭିଭାବକ କର୍ତ୍ତୃପକ୍ଷଙ୍କ ମଧ୍ୟରେ କଥା କଟାକଟି ସହ ମୁହାଁମୁହିିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ତୁରନ୍ତ ହଲ ମଧ୍ୟ ପରୀକ୍ଷାର୍ଥୀଙ୍କୁ ଛଡାଯିବାକୁ ନେଇ ଅଭିଭାବକମାନେ କର୍ତ୍ତୃପକ୍ଷଙ୍କ ସହ ପାଟିତୁଣ୍ଡ କରିଥିଲେ।

ତେବେ କିଛି ସମୟ ବଚସା ପରେ ପରୀକ୍ଷାର୍ଥୀଙ୍କୁ ହଲ ମଧ୍ୟକୁ ପ୍ରବେଶ କରିବା କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ।
ଏହାପରେ ପରସ୍ଥିତି ଶାନ୍ତ ପଡିଥିଲା।