ଓୟୁଏଟି ଯୁଗ୍ମ ନିର୍ଦ୍ଦେଶକଙ୍କ କେବିକେ ପରିଦର୍ଶନ

ଭଞ୍ଜନଗର,୨୭।୬(ଡି.ଏନ.ଏ.)- ଓୟୁଏଟି ଯୁଗ୍ମ ନିର୍ଦ୍ଦେଶକ (ସମ୍ପ୍ରସାରଣ ନିର୍ଦ୍ଦେଶାଳୟ) ଡ. ପ୍ରସନ୍ନଜିତ ମିଶ୍ର ଗୁରୁବାର ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର (କେବିକେ) ପରିଦର୍ଶନ କରିଥିଲେ। କେନ୍ଦ୍ରର ବୈଜ୍ଞାନିକମାନଙ୍କ ସହ ଜଳବାୟୁକୁ ଦେଖି କିଭଳି ଚାଷ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ। ଏହାପରେ ସୋରଡା ବ୍ଲକ ଲାଠିପଡା ଓ ସୋରିଷବିଲି ଗ୍ରାମରେ ନରୱେ ସରକାର ସହଯୋଗରେ ଚାଲିଥିବା ଚାଷ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏହି ସମୟରେ କେବିକେର ମୁଖ୍ୟ ବୈଜ୍ଞାନିକ ଡ.ସ୍ବାଗତିକା ସାହୁ, ବୈଜ୍ଞାନିକ ଡ.ସନ୍ତୋଷ କୁମାର ସାମନ୍ତରାୟ, ସିଦ୍ଧାର୍ଥ ରଣବିଜୁଳି, ସତ୍ୟବ୍ରତ ମଙ୍ଗରାଜ, ଚିତ୍ତରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟଯେ ଜଳବାୟୁ ପରିବର୍ତ୍ତନକୁ ଦେଖି ଚାଷ କାର୍ଯ୍ୟ କରିବା ପାଇଁ ନରୱେ ସରକାର ଆର୍ଥତ୍କ ସହାୟତା ଯୋଗାଇ ଦେଇଛନ୍ତି। ସେଥିରେ ଓୟୁଏଟି ମାଧ୍ୟମରେ ଉକ୍ତ ୨ଗ୍ରାମରେ ୩ବର୍ଷ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଚଳିତବର୍ଷ ଯୋଜନା ଆରମ୍ଭ ହୋଇଛି। ଧାନ, ମକା, ଝୁଡଙ୍ଗ ପ୍ରମୁଖ ଚାଷ ଜଳବାୟୁ ପରିବର୍ତ୍ତନକୁ ଦେଖି କିଭଳି କରାଯିବ ସେନେଇ ଯୋଜନା ପ୍ରସ୍ତୁତ ହୋଇଛି। ଦୁଇଟିଯାକ ଗ୍ରାମରେ ୪୫ ଏକର ଜମିକୁ ପରୀକ୍ଷା ମୂଳକ ଭାବେ ନିଆଯାଇଛି। ଏହି ଯୋଜନାରେ ଚାଷୀଙ୍କୁ ବିହନ, କୀଟନାଶକ ପ୍ରମୁଖ ସୁବିଧା ଯୋଗାଇ ଦିଆଯାଉଛି।

Share